ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ଚାଷୀଙ୍କୁ ଗତ ବର୍ଷର ଫସଲ ବୀମା ଅଦ୍ୟାବଧି ପ୍ରଦାନ କରାଯାଇନଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । ଗତ ୨୦୨୧ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସଇଁନ୍ତଲା ବ୍ଲକ ଚାଷୀମାନେ ନିଜ ଚାଷ ଜମି ଲାଗି ଉପଯୁକ୍ତ ପ୍ରିମିୟମ ଦେଇ ଫସଲ ବୀମା ପାଇଁ କାଗଜପତ୍ର ଦାଖଲ କରିଥିଲେ । ସରକାରଙ୍କ ନିର୍ଦ୍ଧାରିତ ନିୟମାନୁସାରେ କୃଷି ବିଭାଗ, ରାଜସ୍ୱ ବିଭାଗ ଓ ବୀମା କମ୍ପାନୀର ଅଧିକାରୀମାନେ ଫସଲ ଅମଳ ପରୀକ୍ଷା କରି ସୂଚନା ଦେଇଥିଲେ । ପ୍ରାପ୍ତ ସୂଚନାକୁ ଆଧାର କରି ବୀମା କମ୍ପାନୀ ତରଫରୁ ଚାଷୀକୁ ଫସଲ ବୀମା ରାଶି ପ୍ରଦାନ କରାଯିବା କଥା କିନ୍ତୁ ୨୦୨୧ ମସିହାରେ ବ୍ଲକର ବିଭିନ୍ନ ଅଞ୍ଚଳରେ ଅଳ୍ପ ବୃଷ୍ଟିପାତ ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ସଇଁନ୍ତଲା ଅଞ୍ଚଳର ଚାଷୀଙ୍କୁ ବିମା ରାଶି ପ୍ରଦାନ କରାଯାଇ ନାହିଁ । ତେବେ ଏହାକୁ ନେଇ ବିଜେପି ନେତା ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ ବିଭିନ୍ନ ଚାଷୀ ସଂଗଠନ ତରଫରୁ ସଇଁନ୍ତଲା ବ୍ଲକ ନବୀନ ଛକ ଜାତୀୟ ରାଜପଥ୨୬କୁ ଅବରୋଧ କରାଯାଇ ଥିଲା । ଏହାଦ୍ୱାରା ଗାଡ଼ି ଚଳାଚଳ ଠପ ହୋଇ ପଡ଼ିଥିଲା । ଖବର ପାଇ ତହସିଲଦାର ସୁରେନ୍ଦ୍ର ମେହେର ଓ ଅତିରିକ୍ତ ତହସିଲଦାର ଲଳିତ ବାଗ ପ୍ରମୁଖ ଘଟଣାସ୍ଥଳରେ ପହଁଚି ଚାଷୀଙ୍କୁ ବୁଝାସୁଝା କରିଥିଲେ ହେଁ ସେମାନେ ଶୁଣିବାକୁ ନାରାଜ ଥିଲେ ଏବଂ ୪ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ । ବୀମା କମ୍ପାନୀର କର୍ମଚାରୀ ଆସି ଚାଷୀଙ୍କୁ ମାସକ ମଧ୍ୟରେ ଫସଲ ବୀମା ଟଙ୍କା ତାଙ୍କର ଖାତାରେ ଜମା ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସଇଁନ୍ତଲା ପୁଲିସ ପ୍ରଶାସନ ଉପସ୍ଥିତ ଥିଲେ । ସାଂସଦଙ୍କ ବ୍ଲକ ପ୍ରତିନିଧି ଅକ୍ଷୟ ରଣା, ଗୌର ରଣା, ଦର୍ଶନ ପ୍ରଧାନ, ସୁରେଶ ଦନ୍ତା ଓ ଗୋବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।