୯ ରାଜ୍ୟରେ ସଂକ୍ରମଣ ହାର ବଢ଼ିଲା, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ଗାଇଡଲାଇନ

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ଲଗାତାର ଭାବେ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଭାରତ ଭୂଷଣ ୯ ରାଜ୍ୟ କେରଳ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, ମିଜୋରାମ ଓ ଅରୁଣାଚଳ ପ୍ରଦେଶର ସ୍ଥିତ ସମୀକ୍ଷା କରିବା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଉକ୍ତ ରାଜ୍ୟରେ ସଂକ୍ରମଣ ହାର ବେଶ୍ ଅଧିକ ରହିଛି । ସେଥିପାଇଁ ସ୍ୱାସ୍ଥ୍ୟ ସଚିବ ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି କିଛି ଗାଇଡଲାଇନ ଜାରି କରିଛନ୍ତି ।

ଗାଇଡଲାଇନ ଅନୁସାରେ, ହାଇ ପଜିଟିଭିଟି ଜିଲ୍ଲାରେ ଟେଷ୍ଟିଂ ହାର ବଢ଼ାଯାଉ । ହୋମ ଆଇସୋଲେସନରେ ଥିବା ଲୋକଙ୍କ ଉପରେ ନଜର ରଖିବାର ଆବଶ୍ୟକତା ରହିଛି ଯଦ୍ୱାରା ସେ ତାଙ୍କ ପଡ଼ୋଶୀ, ଗାଁ ଓ ସମୁଦାୟକୁ ଭେଟିପାରିବେ ନାହିଁ । ସମସ୍ତ ଆକ୍ରାନ୍ତଙ୍କ ଜିନମ ସିକ୍ୱେନ୍ସିଂ ସହ ଅନ୍ତରାଷ୍ଟ୍ରୀୟ ଆଗମନର ସାଙ୍କେତିକ ଅନୁପାତର ପରୀକ୍ଷଣ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ ଟିକାକରଣ ବଢ଼ାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।