ରାୟଗଡ଼ା,ଏନ୍ଏନ୍ଏସ୍: କାଶୀପୁର ବ୍ଲକରେ କଲେରା ବ୍ୟାପିବା ଘଟଣା ଥମିବାରେ ନାଁ ନେଉନି। ଦୈନିକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବାବେଳେ ଅନୁରୂପ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସମ୍ପ୍ରତ୍ତି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ପ୍ରଦେଶ କଂଗ୍ରେସର ଏକ ୫ ଜଣିଆ ଟିମ୍ କାଶୀପୁର ବ୍ଲକ ଗସ୍ତ କରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛି। କାଶୀପୁର ବ୍ଲକର ବିଭିନ୍ନ ଗାଁ ମାନଙ୍କରେ ଗତ ୧୫ ଦିନ ଧରି ହଇଜା ବ୍ୟାପି ୮ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଶତାଧିକ ଲୋକ ହାଇଜାରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ ଦଳ।
କଂଗ୍ରେସ ଦଳର ଗୋଟିଏ ଟିମ୍ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସେଠାରେ ବାସ୍ତବତା ସ୍ଥିତି ଅନୁଧ୍ୟାନ କରି ମୃତକଙ୍କ ପରିବାରକୁ ଭେଟିଥିଲେ। ଏଥିସହ ବିଭିନ୍ନ ମେଡିକାଲ ମାନଙ୍କରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ। ତେବେ ଏହି ଟିମର ପୂର୍ବତନ ବିଧାୟକ ଭୁଜବଳ ମାଝୀ ଆଜି କହିଛନ୍ତି ଯେ, ସରକାରଙ୍କ ଅପାରଗତା ଯୋଗୁଁ ଲୋକେ ନିର୍ମଳ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। କାଶୀପୁର ବ୍ଲକର ନୀରିହ ଆଦିବାସୀ ମାନେ ପ୍ରଥମେ ଝାଡ଼ାବାନ୍ତି ଓ ପରେ ହଇଜା ଆକ୍ରାନ୍ତ ହୋଇଛନ୍ତି। ପ୍ରତିବର୍ଷ ଏହା ଘଟୁଛି। ସବୁଠାରୁ ବଡ଼କଥା ହେଲା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରାୟଗଡ଼ା ଜିଲ୍ଲାର ହୋଇଥିଲେ ମଧ୍ୟ ସେ ଆଜି ସୁଦ୍ଧା କାଶୀପୁର ବ୍ଲକକୁ ଯାଇନାହାନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ତେବେ ଦଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଏହାକୁ ରାଜନୈତିକ ମୁଦ୍ଦା ବନେଇବାକୁ ଉଦ୍ୟମ କରିଛି।
କାଶୀପୁର ଅଞ୍ଚଳରେ ଆଦିବାସୀ ଓ ଜନଜାତି ଲୋକେ ଅଧିକାଂଶ ଗରିବ ସୀମାରେଖା ତଳେ ରହୁଥିବାବେଳେ ପୁଷ୍ଟିକର ଖାଦ୍ୟ ଅଭବା ତଥା ଅଖାଦ୍ୟ ଖାଇବା ଯୋଗୁଁ କଲେରାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବାରାଁ କରୁଥିବା ଏହି ଟିମର ନେତୃତ୍ଵ ନେଉଥିବା ପୂର୍ବତନ ବିଧ।ୟକ ଭୁଜବଳ ମାଝୀ କହିଛନ୍ତି। ଏଥିସହ ରାଜ୍ୟ ଓ କେନ୍ଦ୍ରର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଉପରେ ପ୍ରଶ୍ନ କରିବା ସହ ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ନମିଳିବାରୁ ରୋଗପ୍ରତିରୋଧ ଶକ୍ତିହ୍ରାସ ଯୋଗୁଁ ସମ୍ପ୍ରତି ସମଗ୍ର କାଶୀପୁର ବ୍ଲକରେ କଲେରା କାୟା ବିସ୍ତାର କରୁଥିବା ପ୍ରତିନିଧି ଦଳ ପ୍ରକାଶ କରିଛି। ଉକ୍ତ ଟିମରେ ପ୍ରଦେଶ କଂଗ୍ରେସ ଆଦିବାସୀ ସେଲ ସଭାପତି ତଥା ପୂର୍ବତନ ବିଧାୟକ ଭୂଜବଳ ମାଝୀ, ପୂର୍ବତନ ବିଧାୟକ ନକୁଳ ସ୍ୱାଇଁ, ଚିନ୍ମୟୀ ବେଉରିଆ, ମନୋଜ ପାତ୍ରଙ୍କ ସମେତ ରାୟଗଡା ଜିଲ୍ଲା ସଭାପତି ଦୁର୍ଗା ପଣ୍ଡା ଓ ଯୁବସଭାପତି ଅସଲମ ଖାନ ପ୍ରମୁଖ ଉପସ୍ଥିତ ଥିଲେ।