ସରିଲା ବାହୁଡା ଯାତ୍ରା: ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ

ପୁରୀ,ଏନ୍ଏନ୍ଏସ୍: ନବଦିନାତ୍ମକ ଯାତ୍ରା ସାରି ଫେରିଲେ ଶ୍ରୀଜୀଉ । ବାଟରେ ମାଉସୀ ମା’ ଅର୍ଦ୍ଧାଶିନୀଙ୍କ ଠାରୁ ଖାଇଲେ ପୋଡ ପିଠା । ଶୃଙ୍ଖଳାର ସହ ସିଂହଦ୍ବାରକୁ ରଥ ଟାଣି ଆଣିଲେ ଭକ୍ତ । ଶ୍ରୀମନ୍ଦିର ସମ୍ମୁଖରେ ଲାଗିଲା ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ ।

ପୂର୍ବ ପ୍ରସ୍ତୁତି ଅନୁସାରେ ଆଜି ମହାପ୍ରଭୁଙ୍କ ବାହୁଡା ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ତିନିଠାକୁରଙ୍କ ତିନି ରଥ ପହଞ୍ଚିଛି । ଆସନ୍ତାକାଲି ସୁନାବେଶ ନୀତି ଅନୁଷ୍ଠିତ ହେବା ପରେ, ପର ଦିନ ଅଧରପଣା ନୀତି ହେବ ସମ୍ପନ୍ନ ।

ଏହାପରେ ରଥଯାତ୍ରାରେ ନେଇନଥିବାରୁ ଅଭିମାନରେ ଥିବା ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନ ଭଞ୍ଜନ କରି ଅର୍ଥାତ୍ ରସଗୋଲା ଦେଇ ନୀଳାଦ୍ରି ବିଜେ କରିବେ ମହାପ୍ରଭୁ । ପୁଣି ବରଷଟିଏ ବଡ ଦାଣ୍ଡରେ ଦର୍ଶନ ପାଇଁ ଚାହିଁ ରହିବ ଭକ୍ତ ।