ଗୋଛାପଡା,ଏନ୍ଏନ୍ଏସ୍:ଫିରିଙ୍ଗିଆରେ ଧୁମଧାମରେ ବାହୁଡା଼ ଯାତ୍ରା ପାଳିତ ହୋଇଯାଇଛି। ଫିରିଙ୍ଗିଆ ବ୍ଲକ୍ ୨୪ଟି ପଞ୍ଚାୟତକୁ ନେଇ ହୋଇଥିବା ବେଳେ ଏହି ବାହୁଡା ଯାତ୍ରାରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ବ୍ଲକ ଛକରେ ଥିବା ମାଉସୀ ମା’ ମନ୍ଦିରରୁ ସେବକ ଶ୍ରୀ ଲିଙ୍ଗରାଜ ପାତ୍ର ଛେରା ପହରା କରିଥିଲେ। ରୀତି ନୀତି ଅନୁଯାୟୀ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ରଥାରୂଢ କରି ଘର ବାହୁଡା଼ ଯାତ୍ରା ଆରମ୍ଭ କରାଯାଇଛି। ବ୍ଲକ ଛକ ମାଉସୀ ମା’ ମନ୍ଦିର ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରଥ ଟଣାଯାଇ ମନ୍ଦିର ପ୍ରବେଶ କରାଯାଇଥିଲା। ମାଉସୀ ମା’ ମାର୍କେଟ ସଭାପତି, ଅଭୟ କହଁର, କଂସ ଦେବ ସାହୁ, ସଞ୍ଜୟ ଦିଗାଲଙ୍କ ସହ ସମସ୍ତ ସଦସ୍ୟ ଯୋଗଦେଇଥିଲେ। ସେହିପରି ରଥଯାତ୍ରା ପରିଚାଳନା ସଭାପତି ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ସମ୍ପାଦକ ଚନ୍ଦ୍ର ମୋହନ ନାୟକ, ଅଜିତ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିବାବେଳେ ବଣିକ ସଂଘ ସଭାପତି ରାଜ କିଶୋର ସାହୁ, ବାଳକୃଷ୍ଣ ଜୁଣ୍ଡି ଓ ଅନ୍ୟମାନେ ସହଯୋଗ କରିଥିଲେ।
ସେହିପରି ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାକାଳର ସଦସ୍ୟମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସମସ୍ତ ସହଯୋଗ କରିଥିଲେ। ପିତା ବଳି ମନ୍ଦିର ପୂଜକ ସତ୍ୟ ନାରାୟଣ ଭୁକ୍ତା ଓ ଜଗନ୍ନାଥ ମନ୍ଦିର ସେବାୟତ ଓ ପୂଜକ କାଳିଆ ପଣ୍ଡା ଓ ଅନ୍ୟ ମାନଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଘଣ୍ଟ ବାଦ୍ୟ, ବାଡ଼ି ଖେଳ ସହ ଖୋଳ କୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହୋଇଥିଲା। ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କମିଟି ତରଫରୁ ପରିବେଷଣ କରାଯିବା ବ୍ୟବସ୍ଥା ଥିବା ସୂଚନା ମିଳିଛି।