ନୂଆପଡ଼ା,ଏନ୍ଏନ୍ଏସ୍: ପଡ଼ୋଶୀ ଛତିଶଗଡ଼ ସୀମାନ୍ତ ପାଟଦରହା ସଂରକ୍ଷିତ ଜଙ୍ଗଲରୁ ନୂଆପଡ଼ା ପୁଲିସ ଏସଓଜି, ଡିଭିଏଫ ଓ ସିଆରପିଏଫ ଯବାନଙ୍କ ସହାୟତାରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଛି । ଏନେଇ ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନାନୁସାରେ, ବୋଡ଼େନ ଥାନା ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ପରିବେଷ୍ଟିତ ପାଟଦରହା ସଂରକ୍ଷିତ ଜଙ୍ଗଲରେ ଏକ ବଡ଼ ଧରଣର ମାଓ କ୍ୟାମ୍ପ ଥିବାର ନେଇ ନୂଆପଡ଼ା ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଖବରକୁ ଆଧାର କରି ପୁଲିସ ଡିଭିଏଫ, ଏସଓଜି ଓ ସିଆରପିଏଫ ଯବାନଙ୍କ ସହାୟତାରେ ଗତକାଲି ସକାଳ ୧୦ଟାରୁ କମ୍ବିଂ ଅପରେସନ ଆରମ୍ଭ କରିଥିଲେ ଏବଂ କ୍ୟାମ୍ପ ପାଖାପାଖି ଥିବା ସମୟରେ ମାଓବାଦୀଙ୍କ ତରଫରୁ ଗୁଳି ଚାଳନା ହୋଇଥିଲା । ଏହାର ଜବାବରେ ଯବାନ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଏହି ସମୟରେ ଯବାନଙ୍କ ତରଫରୁ ୨୮୪ ରାଉଣ୍ଡ ଗୁଳି ଓ ୨୦ ରାଉଣ୍ଡ ୟୁବିଜିଏଲ ଗ୍ରେନେଡ଼ ମାଡ଼ କରାଯାଇଥିଲା । ଏହି ମାଓ କ୍ୟାମ୍ପଟି ମୁରଲୀ, ସଂଗ୍ରାମ ରେଡି, ଦେବଜୀ, ଜୟରାମ, ଦଶରୁ, ଗୁଡୁ, ଅଞ୍ଜୁ, ପଦ୍ମା, ସଂଗୀତା, ଜନୀଲା, ପାର୍ବତୀ, ସୋନି ଆଦି ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ନେତୃତ୍ୱରେ ପରିଚାଳିତ ହେଉଥିଲା । ଉକ୍ତ ଗୁଳି ବିନିମୟରେ ଉପରୋକ୍ତ ସମସ୍ତେ ସାମିଲ ଥିଲେ ବୋଲି ଶ୍ରୀ ଦିବାକର କହିଛନ୍ତି । ଯବାନଙ୍କ ପାଲଟା ଆକ୍ରମଣରେ ମାଓବାଦୀ ଛତ୍ର ଭଙ୍ଗ ଦେଇଥିଲେ । କ୍ୟାମ୍ପ ଉପରେ କବଜା କରି ଯବାନ ଗୋଟିଏ ଏୟାର ଗନ, ୧୨ ଭୋଲଟର ୫ଟି ବ୍ୟାଟେରୀ, ୧୧ଟି ଛୁରୀ ଓ ଏପରି ବିପୁଳ ପରିମାଣର ୩୭ ପ୍ରକାରର ମାଓ ସାମଗ୍ରୀ ଜବତ କରିଛନ୍ତି । କମ୍ବିଂକୁ ଜୋରଦାର କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ୨୧୬ ସିଆରପିଏଫ ବାଟାଲିୟନର କମାଣ୍ଡେଣ୍ଟ ରାଜେଶ ବତ୍ସ କହିଛନ୍ତି ।