ଆଜି ବସିବ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତ ହେବ ବ୍ଲପ୍ରିଣ୍ଟ। ଆଜି (ଶୁକ୍ରବାର) ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରଶାସନକୁ ପରାମର୍ଶ ଦେବେ ମୁଖ୍ୟମନ୍ତ୍ରୀ।

ଗତ କିଛି ବର୍ଷ ହେଲା ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରୁଛନ୍ତି ରାଜ୍ୟ ସରକାର। ସଫଳ ବିପର୍ଯ୍ୟୟ ମୁକାବିଲାରେ ପାଇଁ ରାଜ୍ୟ ସରକାର ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଛନ୍ତି। ତେବେ ଆଗକୁ ଅଧିକ ସତର୍କ ଓ ପ୍ରସ୍ତୁତ ହେବାକୁ ପଡିବ। ବଦଳୁଥିବା ପାଣିପାଗ ଓ ପରିବେଶ ପରିବର୍ତ୍ତନ ରାଜ୍ୟ ଲାଗି ସତର୍କ ଘାଣ୍ଟି ସଦୃଶ ହୋଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଅଗୁଆ ପଦକ୍ଷେପ ନେବାକୁ ପଡିବ।

ତେଣୁ ଏହି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ବହୁ ଗୁରୁତ୍ବ ବହନ କରୁଛି। ଆଗକୁ ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସୁଚିନ୍ତିତ ପରାମର୍ଶ ଦେବେ। ବୈଠକରେ ରାଜସ୍ବ ଏବଂ ବିପର୍ଯ୍ୟୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏସଆରସି ପ୍ରଦୀପ କୁମାର ଜେନା, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ପୁଲିସ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

ସେହପିରି ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ଆଜି ପ୍ରଥମ ମନ୍ତ୍ରୀପରିଷଦ ବୈଠକ ବସିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତା କରିବେ। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ପୂର୍ଣ୍ଣାଙ୍ଗ ବଜେଟ ଉପରେ ଆଲୋଚନା ହୋଇପାରେ। ସନ୍ଧ୍ୟା ୫ଟା ୩୦ରେ ଲୋକସେବା ଭବନରେ ବସିବ ବୈଠକ।