‘ଜୁମେ’ର ନମାଜକୁ ନେଇ ଯୋଗୀ ସରକାର ଆଲର୍ଟ, ପୋଲିସ-ସିସିଟିଭି ରଖିବ ନଜର

ଲଖନଉ,ଏଜେନ୍ସି: ଉତ୍ତର ପ୍ରଦେଶରେ ବିଗତ ଦିନରେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ଏଥର ‘ଜୁମେ’ର ନମାଜ ଉପରେ ପ୍ରଶାସନ ଅଧିକ ସଚେତନ ହୋଇଉଠିଛି। ପୁଲିସକୁ ସ୍ପଷ୍ଟ ନିର୍ଦ୍ଦେଶ ହୋଇଛି ଯେ, ଉପଦ୍ରବ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଭିଯୁକ୍ତମାନଙ୍କୁ ସଜହରେ ଛାଡ଼ି ଦିଆଯିବ ନାହିଁ। ପୁଲିସକୁ ଅଧିକ ସତର୍କ କରିଦିଆଯାଇଛି। ସେହିଭଳି ସିସିଟିଭି କ୍ୟାମେରା ମଧ୍ୟ ନଜର ରଖୁଛି। ଡ୍ରୋନର ସହାୟତା ନିଆଯାଉଛି। ହୋମଗାର୍ଡଙ୍କ ସଂଖ୍ୟା ବଢ଼ାଇ ଦିଆଯାଇଛି।

ସର୍ବାଧିକ ପ୍ରଭାବିତ ରହୁଥିବା ପ୍ରୟାଗରାଜରେ ଏଥର ଗତଥର ତୁଳନାରେ ହୋମଗାର୍ଡ, ପିଏସି, ପାରା ମିଲିଟାରୀ ସଂଖ୍ୟା ଅନେକ ଗୁଣରେ ବଢ଼ାଇ ଦିଆଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ୩୦୦ରୁ ଅଧିକ ସିସିଟିଭି ଖଞ୍ଜା ଯାଇଛି। ୪ ଡ୍ରୋନ କ୍ୟାମେରା ବ୍ୟବହାର ହେବ। ଏହା ବ୍ୟତୀତ ସବୁ ପୋଲିସ, ପିଏସି, ପାରା ମିଲିଟାରୀ ବଳଙ୍କ ସହିତ ବ୍ୟାପକ ସଂଖ୍ୟାରେ ମାଜିଷ୍ଟ୍ରେଟଙ୍କୁ ମଧ୍ୟ ଡ୍ୟୁଟିରେ ଲଗାଇ ଦିଆଯାଇଛି।

ରାତିରେ ସହର ଓ ଗ୍ରାମାଞ୍‌ଚଳର ସବୁ ହୋଟେଲ, ଢାବା, ମନ୍ଦିର, ମସଜିଦ, ଗୁରୁଦ୍ୱାର, ଚର୍ଚ୍ଚ, ସ୍କୁଲ, ମଦ୍ରାସା ପାଖରେ ପୁଲିସ ପିଏସି ବଳ ଦ୍ୱାରା ପାଟ୍ରୋଲିଂ କରାଯିବ। ଉପଦ୍ରବ ଦେଖିଲେ ଅଭିଯୁକ୍ତମାନଙ୍କୁ ହଠାତ ଗିରଫ କରାଯିବ। ଏଥରି ଲୋକଙ୍କୁ ସହାୟତା କରିବା ପାଇଁ ପ୍ରୟାଗରାଜ ପୋଲିସ ୨ଟି ନମ୍ବର (୯୪୫୪୪୦୨୮୬୩ ଓ ୯୪୫୪୪୦୦୨୪୮) ମଧ୍ୟ ଜାରି କରିଛି।