ଟିଟିଲାଗଡ,ଏନ୍ଏନ୍ଏସ୍: ଟିଟିଲାଗଡ ସରକାରୀ ଡାକ୍ତରଖାନା ଉପରେ ସହର ତଥା ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ଚିକିତ୍ସା ପାଇଁ ନିର୍ଭର କରୁଥିବା ବେଳେ ଏହି ବହୁ ପୁରାତନ ଡାକ୍ତରଖାନାଟି ଦିନକୁ ଦିନ ତାର ପୂର୍ବ ଗୌରବ ହରାବାରେ ଲାଗିଛି। ଏକଦା ସହର ବ୍ୟତୀତ ପଡୋଶୀ ଜିଲ୍ଲାବାସୀ ମଧ୍ୟ ଏହି ଚିକିତ୍ସାଳୟ ଉପରେ ନିର୍ଭରଶୀଳ ଥିବା ବେଳେ ବର୍ତ୍ତମାନ ବିଭିନ୍ନ ବିଭାଗର ଡ଼ାକ୍ତର ଅଭାବ ଯୋଗୁଁ ଏହା ଏକ ରେଫରାଲ ହସ୍ପିଟାଲରେ ପରିଣତ ହୋଇଛି। ବିଭିନ୍ନ ସମୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଓ ଅବ୍ୟବସ୍ଥାକୁ ନେଇ ଚର୍ଚ୍ଚାର ପରିସରରେ ରହୁଥିବା ଏଇ ଡାକ୍ତରଖାନାକୁ ନେଇ ସହରର ବିଭିନ୍ନ ସଂଗଠନ ତଥା ରାଜନୈତିକ ଦଳ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ବିଭିନ୍ନ ସମୟରେ ବିକ୍ଷୋଭ ପ୍ରଦର୍ଶନ କରିଆସୁଥିଲେ ମଧ୍ୟ ଏହି ଡାକ୍ତରଖାନା ପ୍ରତି ସରକାରୀ ଉଦାସୀନତା ଦୁର୍ଭାଗ୍ୟଜନକ।ସରକାରୀ ଡାକ୍ତରଖାନାର ସୁପରିଚାଳନା ତଥା ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ ଉଦ୍ଦେଶ୍ୟରେ ସମାଜର ବିଭିନ୍ନ ଶ୍ରେଣୀରୁ ଚୟନ କରାଯାଇ ଗଠନ କରାଯାଇଥିବା ରୋଗୀ କଲ୍ୟାଣ ସମିତି ନାମକୁମାତ୍ର ଥିବା ବେଳେ ବର୍ଷ ବର୍ଷ ଧରି ଏହାର ବୈଠକ ହୋଇପାରୁନାହିଁ। ଏହି ଡ଼ାକ୍ତରଖାନାରେ ଡ଼ାକ୍ତର ଅଭାବ ଏକ ଚିରାଚରିତ ସାଧାରଣ ସମସ୍ୟାରେ ପରିଣତ ହୋଇଥିବା ବେଳେ ଏଠାରେ ଥିବା ଭେଷଜ ବିଶେଷଜ୍ଞ ସପ୍ତାହକୁ ଥରେ କିମ୍ବା ଦୁଇଥର ଆସୁଛନ୍ତି। ଭେଷଜ ବିଶେଷଜ୍ଞ ଡ଼ ହେମନ୍ତ ମେହେରଙ୍କ ସାପ୍ତାହିକ ରୋଗୀ ଦେଖା ସମୟରେ ସ୍ଥାନୀୟ ଅପେକ୍ଷାରତ ଓ ବାହାରୁ ଆସୁଥିବା ରୋଗୀଙ୍କ ଅସମ୍ଭାଳ ଭିଡ ଲାଗି ରହୁଛି।
ଏପରିକି ସୁରକ୍ଷା ବ୍ୟବସ୍ଥାରେ ଥିବା ଏସ୍ଆଇଏସ୍ ସଂସ୍ଥାର ନିୟୋଜିତ ସୁରକ୍ଷା କର୍ମୀ ମଧ୍ୟ ସ୍ଥିତି ନିୟନ୍ତ୍ରଣ କରିପାରୁ ନଥିବା ଦେଖିବାକୁ ମିଳୁଛି। ଧାଡ଼ିରେ ଅପେକ୍ଷା ରତ ରୋଗୀ ତଥା ତାଙ୍କ ଆତ୍ମୀୟ ସ୍ୱଜନଙ୍କ ସହ ଉପସ୍ଥିତ ସୁରକ୍ଷା କର୍ମୀ ଦୁର୍ବ୍ୟବହାର କରୁଥିବା ନେଇ ବାରମ୍ବାର ଅଭିଯୋଗ ଉଠୁଥିବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ନିଦାବିଷ୍ଣୁ ପାଲଟିଥିବା ଦେଖିବାକୁ ମିଳୁଛି। ଡ଼ାକ୍ତରଖାନାର ଭୁଶୁଡ଼ି ପଡ଼ିଥିବା ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଧାରିବା ସହ କାର୍ଯ୍ୟରତ କର୍ମଚାରୀଙ୍କ ଶୁଙ୍ଖଳିତ ବ୍ୟବହାର ପାଇଁ ସହରର ବିଭିନ୍ନ ମହଲରୁ ଦାବି ଉଠିଛି।