ପଞ୍ଚାୟତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ, ୫-ଟି ମନ୍ତ୍ରକୁ ଗାଁ ବିକାଶରେ କର ଉପଯୋଗ ମହାନଗରରାଜନୀତିରାଜ୍ୟ By Nitidin Last updated Jun 2, 2022 Share ଭୁବନେଶ୍ବର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଦିଗବିନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବେ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାର ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପଞ୍ଚାୟତ ପ୍ରତିନିଧି ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୧ ଲକ୍ଷ ୬ ହଜାର ୩୫୨ ଜଣ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଛନ୍ତି । ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଯେ, ଏଥର ମହିଳାମାନେ ବହୁ ସଂଖ୍ୟାରେ ଜିତି ପଞ୍ଚାୟତର ମଙ୍ଗ ଧରିଛନ୍ତି । ଏହାଦ୍ବାରା ବିଜୁ ବାବୁଙ୍କ ମହିଳା ସଶକ୍ତିକରଣର ସ୍ବପ୍ନ ସାକାର ହୋଇଛି । ଆମର ଶାସନ ବ୍ୟବସ୍ଥା ଓ ବିକାଶ ଯୋଜନାରେ ପଞ୍ଚାୟତର ଗୁରୁତ୍ବ ରହିଛି । ପଞ୍ଚାୟତ ହେଉଛି ସେବାର କେନ୍ଦ୍ର । ସାଧାରଣ ଲୋକ ଯେପରି ସରକାରୀ ସେବାରୁ ବଞ୍ଚିତ ନ ହୁଏ, ସରକାରୀ ସେବା ପାଇବାରେ ହଇରାଣ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ପଞ୍ଚାୟତ ପ୍ରତିନିଧି ଗରିବ, ମହିଳା ତଥା ଦୁର୍ବଳ ଶ୍ରେଣୀର ଲୋକ ଓ ସେମାନଙ୍କ ଅଧିକାରକୁ ସୁରକ୍ଷା ଦିଅନ୍ତୁ । ଲୋକଙ୍କ ସୁଖଦୁଃଖରେ ସାମିଲ ହେବାକୁ ସେ ପରାମର୍ଶ ଦେଇଛନ୍ତି । ୫-ଟି ହେଉଛି ଟେକନୋଲୋଜି, ଟିମୱାର୍କ, ଟାଇମ, ଟ୍ରାନସପ୍ୟାରେନସି ବା ସ୍ବଚ୍ଛତା ଓ ରୂପାନ୍ତର। ୫-ଟି ମନ୍ତ୍ରକୁ ଗାଁର ବିକାଶରେ ଉପଯୋଗ କରନ୍ତୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ଆପଣଙ୍କ ଗାଁ, ଆପଣଙ୍କ ପଞ୍ଚାୟତର ପରିବର୍ତ୍ତନ, ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇପାରିବ । ଜନସାଧାରଣ ଆମ ଉପରେ ଆସ୍ଥା ରଖିଛନ୍ତି । ଭରସା ରଖିଛନ୍ତି । ଲୋକଙ୍କୁ କେବେ ନିରାଶ ହେବାକୁ ଦେବା ନାହିଁ । ସେମାନଙ୍କ ଆସ୍ଥା ଓ ଭରସାକୁ ପବିତ୍ର ଦାୟିତ୍ବ ଭାବି ସେବା କଲେ ଲୋକଙ୍କ ହୃଦୟରେ ସବୁ ଦିନ ପାଇଁ ରହିଯିବେ । ନିଜ କାମ ଦ୍ବାରା ନିଜ ନିଜ ଅଞ୍ଚଳରେ ବିକାଶର ଦୂତ ଭାବରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଛନ୍ତି । ରାଜ୍ୟର ବିକାଶରେ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକର ଭୂମିକା ସଂପର୍କରେ ଆଲୋକପାତ କରିଛନ୍ତି । ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ସେ ସୂଚନା ଦେଇଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ବର୍ତ୍ତମାନ ଜିପିଏସ୍ ଟେକ୍ନୋଲୋଜି ଜରିଆରେ ପଞ୍ଚାୟତର ସବୁ ଭିତ୍ତିଭୂମିକୁ ମ୍ୟାପିଂ କରାଯାଇଛି । ଏହାଦ୍ବାରା ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ସମାଧାନ ତୁରନ୍ତ ହୋଇପାରିବ । ପଞ୍ଚାୟତଗୁଡିକ ସରକାରଙ୍କ ଅଭିଯୋଗ ଶୁଣାଣୀ ବ୍ୟବସ୍ଥାର ପ୍ରଥମ ସୋପାନ । ଲୋକଙ୍କ ଅଭିଯୋଗ ଗୁଡିକୁ ପଞ୍ଚାୟତ ସ୍ତରରେ ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି । କୃଷି ଓ କୃଷକ ସଶକ୍ତକରଣ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ଓ ଯୁବଶକ୍ତିକୁ ଆଗକୁ ଆଣି ପଞ୍ଚାୟତଗୁଡିକୁ ସଶକ୍ତ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ସମସ୍ତେ ୫-ଟି ମନ୍ତ୍ରକୁ ଉପଯୋଗ କରି କାମ କଲେ, ରାଜ୍ୟରେ ରୂପାନ୍ତର ଆସିପାରିବ ବୋଲି ସେ କହିଛନ୍ତି । ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସମାଜସେବା କରିବା ପାଇଁ ମହିଳା ମାନଙ୍କୁ ସୁଯୋଗ ଦେଇଛନ୍ତି । ଓଡିଶାରେ ମହିଳାମାନେ ସଶକ୍ତ ହୋଇପାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ନେଇ କାମ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ବାଗତ ଭାଷଣରେ କହିଛନ୍ତି ଯେ, ପଞ୍ଚାୟତ ଅନୁଷ୍ଠାନ ଗୁଡିକୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଯାଇଛି । ବିକାଶ ପାଇଁ ଅନେକ ଅର୍ଥ ଦିଆଯାଉଛି । ଏହାର ସୁବିନିଯୋଗରେ ପ୍ରତିନିଧି ମାନଙ୍କ ପ୍ରଶିକ୍ଷଣ ବହୁତ ଗୁରୁତ୍ବପୂର୍ଣ୍ଣ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଧନ୍ୟବାଦ ଅର୍ପଣ କରିଛନ୍ତି । Share