ଶ୍ରୀନଗର,ଏଜେନ୍ସି: ସୁରକ୍ଷା ବାହିନୀର ଲଗାତାର କାର୍ଯ୍ୟାନୁଷ୍ଠାନ ଦ୍ୱାରା ଘାଟିରେ ଆତଙ୍କବାଦୀମାନେ ବିଚଳିତ ହୋଇପଡ଼ିଛନ୍ତି। ଅଣ ମୁସଲିମ୍ ଲୋକଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି। ଆତଙ୍କବାଦୀମାନେ ମଙ୍ଗଳବାର ପୁଣି ଏକ ଆକ୍ରମଣ କରିଛନ୍ତି। ବାରାମୂଲାରେ ଏକ ମଦ ଦୋକାନକୁ ଲକ୍ଷ୍ୟ କରି ବୁର୍କାପିନ୍ଧା ଆତଙ୍କବାଦୀମାନେ ବୋମା ଫିଙ୍ଗିଛନ୍ତି। ଏହି ଆକ୍ରମଣରେ ୪ ଜଣ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି।
ପୋଲିସ କହିବା ଅନୁସାରେ ଦୀୱାନ ବାଗ ବାରାମୂଲାରେ ଏକ ନୂଆ ମଦ ଦୋକାନ ଖୋଲିଛି। ମଙ୍ଗଳବାର ରାତି ପ୍ରାୟ ୮ଟାରେ ଦୋକାନ ବାହାରେ ବାଇକରେ ୨ ଜଣ ବୁର୍କା ପିନ୍ଧା ଆତଙ୍କବାଦୀ ପହଞ୍ଚିଥିଲେ। ଏଥିରୁ ଜଣେ ଆତଙ୍କବାଦୀ ଦୋକାନକୁ ଯାଇଥିଲା। ହାତରେ ଗ୍ରେନେଡ ଧରିଥିଲା। ସେ ଗ୍ରେନେଡ ଫିଙ୍ଗି ଦେଇ ଏହା ପରେ ଘଟଣାସ୍ଥଳରୁ ସାଥୀ ବାଇକ୍ ଆରୋହୀଙ୍କ ସହିତ ଫେରାର ହୋଇଯାଇଥିଲା। ଏହି ଆକ୍ରମଣରେ ମଦ ଦୋକାନରେ ଥିବା ୪ ଜଣ ଲୋକ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଆହତମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଘୋଷଣା କରିଥିଲେ।