ଅଗରତାଲା,ଏଜେନ୍ସି: ତ୍ରିପୁରାରେ ଆରମ୍ଭ ହୋଇଛି ମାଣିକ ସାହାଙ୍କ ରାଜ। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ମାଣିକଙ୍କ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମାରୋହ। ଅଗରତାଲାରେ ଥିବା ରାଜ୍ୟପାଳ ଭବନରେ ମଧ୍ୟାହ୍ନ ୧୨ଟା ସମୟରେ ୧୧ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ ଆଜି ଶପଥ ପାଠ କରାଇବେ। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମାଣିକ ସାହା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଓ ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ।
ଶପଥ ଗ୍ରହଣ ନେବାକୁ ଥିବା ୧୧ ବିଧାୟକଙ୍କ ମଧ୍ୟରୁ ୯ଜଣ ବିଜେପିର ହୋଇଥିବା ବେଳେ ୨ ଜଣ ଆଇପିଟିଏଫ୍ ଦଳର ରହିଛନ୍ତି। ଶୁକ୍ରବାର ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ ଦେବ ଇସ୍ତଫା ଦେବାର କିଛି ଘଣ୍ଟା ପରେ ବିଜେପି ବିଧାୟକ ଦଳ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମାଣିକ ସାହାଙ୍କ ନାଁରେ ମୋହର ମାରିଥିଲା। ଗତକାଲି ରାଜ ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ ଶପଥପାଠ କରାଇଥିଲେ। ଫଳରେ ତ୍ରିପୁରାର ଏକାଦଶତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମାଣିକ ସାହା।