ଇସଲାମାବାଦ୍,ଏଜେନ୍ସି: ପାକିସ୍ତାନରେ କ୍ଷମତା ବଦଳିବା ପରେ ମଧ୍ୟ ରାଜନୈତିକ ଦୃଶ୍ୟପଟରେ ସ୍ଥିରତା ଆସିନାହିଁ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ନିଜର ଜୀବନ ପ୍ରତି ବିପଦ ରହିଥିବା କଥା ଗଣମାଧ୍ୟମକୁ କହିଛନ୍ତି। ସେ ଏକ ଜନସଭାକୁ ସମ୍ବୋଧିକ କରି କହିଛନ୍ତି ଯେ, ତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଛି। ଇମ୍ରାନ୍ ଖାନ କହିଛନ୍ତି ଏହି ଷଡ଼ଯନ୍ତ୍ର ପାକିସ୍ତାନ ଓ ବିଦେଶରେ ହେଉଛି।
ଏଥି ସହିତ ଇମ୍ରାନ କହିଛନ୍ତି ଯେ, ତାଙ୍କୁ ଜଣା ଅଛି ଯେ, ହତ୍ୟା ପାଇଁ ଷଡ଼ଯନ୍ତ୍ର କିଏ କରୁଛି। ମୁଁ ଏକ ଭିଡିଓ ରେକର୍ଡିଂ କରିଛି। ଏଥିରେ ସେହି ଲୋକମାନଙ୍କର ନାମ ଉଜାଗର କରାଯାଇଛି, ଯେଉଁମାନେ କି ଷଡ଼ଯନ୍ତ୍ରରେ ସଂପୃକ୍ତ ଅଛନ୍ତି। ଯଦି ମୋତେ ହତ୍ୟା କରାଯାଏ, ତା’ହେଲେ ଭିଡିଓକୁ ସର୍ବସାଧାରଣଙ୍କ ସାମ୍ନାକୁ ଆସିବ।
ସୂଚନାଯୋଗ୍ୟ କ୍ଷମତା ହରାଇବା ପୂର୍ବରୁ ମଧ୍ୟ ଇମ୍ରାନ୍ କହିଥିଲେ ଯେ, ତାଙ୍କ ଜୀବନ ପ୍ରତି ବିପଦ ଅଛି। କ୍ରିକେଟରରୁ ନେତା ହୋଇଥିବା ଇମ୍ରାନ୍ ଖାନ ଗତ ମାସରେ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ କ୍ଷମତା ହରାଇଥିଲେ। ସେ ଅଭିଯୋଗ ଆଣିଥିଲେ ଯେ, ଆମେରିକା ସ୍ଥାନୀୟ ଲୋକଙ୍କ ସହାୟତାରେ ଖେଳୁଛି। ଏହି ଖେଳର ମାଷ୍ଟରମାଇଣ୍ଡ ହେଉଛି ଆମେରିକା।