ଭୁବନେଶ୍ବର,ଏନ୍ଏନ୍ଏସ୍: ନୂତନ ଜାତୀୟ ଶିକ୍ଷାନୀତି ୨୦୨୦, ଜାତୀୟ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଅନୁବନ୍ଧିତ ଏକ ଭିଜନ୍ ଡକ୍ୟୁମେଣ୍ଟ। ଏହି ପରିପ୍ରେକ୍ଷିରେ ପଟିଆ ସ୍ଥିତ ୟୁନାଇଟେଡ୍ ସ୍କୁଲ୍ ଆଫ୍ ବିଜିନେସ୍ ମ୍ୟାନେଜମେଣ୍ଟ (ୟୁଏସ୍ବିଏମ୍)ରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ବିପିୟୁଟିର କୂଳପତି ପ୍ରଫେସର ଡ. ଚିତ୍ତରଞନ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଡ. ସହଦେବ ସାହୁ, ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉଁସିଲର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡ. ରଞ୍ଜନ କୁମାର ବଳ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଝାଡଖଣ୍ଡର କୂଳପତି ଡ଼. କ୍ଷିତିଭୂଷଣ ଦାସ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ବକ୍ତାମାନେ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ର ଆହ୍ୱାନ ଏବଂ ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଆନୁଷ୍ଠାନର ନିର୍ଦ୍ଦେଶକ ସୌମ୍ୟକାନ୍ତ ବଳବନ୍ତରାୟ, ଉପଦେଷ୍ଠା ଡ. କାହ୍ନୁଚରଣ ସ୍ୱାଇଁଁ ଓ ଅଧ୍ୟକ୍ଷ ଡ. ସଂଜୀବ କୁମାର ଦାସ ଅତୀଥି ମାନଙ୍କୁ ସ୍ୱାଗତ କରିଥିଲେ ଓ ଆଲୋଚନା ଚକ୍ରର ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିଲେ। ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସକ୍ରୀୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।