ଡେଲାଙ୍ଗ,ଏନ୍ଏନ୍ଏସ୍: ଡେଲାଙ୍ଗ ପୁଲିସ ଡକାୟତି ଯୋଜନା ପଣ୍ଡ କରିବାରେ ସଫଳ ହୋଇଛି। ଏହା ସହିତ ୬ ଜଣ ଡକାୟତଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ମାନେ ହେଲେ କଣାସ ଥାନା ଅଞ୍ଚଳ ବଳଭଦ୍ର ପୁର ଗ୍ରାମର ଶିବାଜୀ ପାଇକରାୟ(୩୮), ଡେଲାଙ୍ଗ ଥାନା ଅଞ୍ଚଳ ହରିପୁର ଗ୍ରାମର ବିଶ୍ୱଜିତ ସାମନ୍ତରାୟ(୨୬), ଗୋଦାସାହିର ବିଶ୍ୱରଞ୍ଜନ ଜେନା (୩୧)।
ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ବିଳମ୍ବୀତ ରାତିରେ ଡେଲାଙ୍ଗ ଥାନା ଏଏସଆଇ ସୁଦାମ ଚରଣ ନାୟକଙ୍କ ସହିତ ପୁଲିସ କର୍ମଚାରୀ ରାତ୍ର ପାଟ୍ରୋଲିଂ କରୁଥିଲେ। ଗୋଦାସାହି ନିକଟସ୍ଥ ଏକ ପରିତ୍ୟକ୍ତ କୁକୁଡା ଫାର୍ମରେ ୬ ଜଣ ଯୁବକ ଏକତ୍ର ବସି କୌଣସି ବିଷୟରେ ଆଲୋଚନା କରୁଥିବାର ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ଡେଲାଙ୍ଗ ଆଇଆଇସି ଅନୀଲ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ପାଟ୍ରୋଲିଂ ଗାଡି ଗୋଦାସାହି ନିକଟସ୍ଥ କୁକୁଡା ଫାର୍ମ ନିକଟରେ ପହଞ୍ଚିଥିଲା।ପୁଲିସ ଗାଡି ଦେଖି ୩ ଜଣ ଅଭିଯୁକ୍ତ ବାଇକରେ ଚମ୍ପଟ ମାରିଥିଲେ। ଅନ୍ୟ ୩ ଜଣଙ୍କୁ ପୁଲିସ କର୍ମୀମାନେ ଗୋଡାଇ ଗୋଡାଇ କାବୁ କରିବାରେ ସକ୍ଷମ ହୋଇଥିଲେ। ସେମାନଙ୍କ ଠାରୁ ୪ଟି ମୋବାଇଲ ଫୋନ, ୩ଟି ମାସ୍କ, କଟୁରୀ, ୨ଟି ଲୁହା ରଡ, ଟର୍ଚ୍ଚ ଲାଇଟ, ୨ଟି ମଦ ବୋତଲ, ଲଙ୍କା ଗୁଣ୍ଡ ଓ ଗୋଟିଏ କାର ପୁଲିସ ଜବତ କରିଛି।
ଅଭିଯୁକ୍ତ ମାନେ ରାସ୍ତାରେ ଯାତାୟାତ କରୁଥିବା ପଥଚାରି, ବାଇକ୍ ଆରୋହି ସହିତ ପାତ୍ରପଡା ଓ ଜଟଣୀ ଅଞ୍ଚଳରେ ରାହାଜାନୀ, ଡକାୟତ କରିବା ପାଇଁ ଯୋଜନା କରୁଥିବା ପୁଲିସ ଆଗରେ ସ୍ୱୀକାର କରିଥିଲେ। ଏନେଇ ଡେଲାଙ୍ଗ ପୁଲିସ ୧୨୮/ ୨୨ରେ ଡକାୟତ ମାମଲା ରୁଜୁ କରିଛି। ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲଣ କରାଯାଇଥିବା ବେଳେ ଫେରାର ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।