ଇସ୍ତାନବୁଲ୍(ତୁର୍କୀ),ଏଜେନ୍ସି: ଏଠାରେ ଚାଲିଥିବା ଆଇବିଏ ୱିମେନ୍ସ ୱାର୍ଲ୍ଡ ବକ୍ସିଂ ଚାମ୍ପିଅନ୍ଶିପ୍ର ଦ୍ୱାଦଶ ସଂସ୍କରଣରେ ଶୁକ୍ରବାର ପ୍ରିକ୍ୱାର୍ଟର୍ରେ ଭାରତକୁ ମିଶ୍ରିତ ସଫଳତା ମିଳିଛି। ଦୁଇ ଜଣ ପ୍ରତିଯୋଗୀ ଶୁକ୍ରବାର ପ୍ରିକ୍ୱାର୍ଟର୍ ମୁକାବିଲା ପାଇଁ ରିଙ୍ଗ୍କୁ ଓହ୍ଲାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗତ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ଜିତିଥିବା ଲଭ୍ଲିନା ବୋର୍ଗୋହେନ୍ ହାରିଯାଇଛନ୍ତି। କିନ୍ତୁ ଅନ୍ୟତମ ପ୍ରତିଯୋଗୀ ପୂଜା ରାନୀ ବିଜୟୀ ହୋଇ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି।
୮୧ କିଗ୍ରା ଓଜନ ବର୍ଗରେ ଲଢ଼ୁଥିବା ପୂଜା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ହଙ୍ଗେରୀର ଟିମିଆ ନାଗିଙ୍କୁ ୫-୦ରେ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ପରାସ୍ତ କରିଛନ୍ତି। କିନ୍ତୁ ଏହା ପୂର୍ବରୁ ଲଭ୍ଲିନା ୭୦ କିଗ୍ରା ବର୍ଗ ମୁକାବିଲାରେ ଏଫ୍ସିଟିର ସିଣ୍ଡି ଏନ୍ଗାମ୍ବାଙ୍କଠାରୁ ୧-୪ ସ୍ପ୍ଲିଟ୍ ନିଷ୍ପତ୍ତିରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ପୂର୍ବରୁ ଗୁରୁବାର ୨ ଜଣ ଭାରତୀୟ ବକ୍ସର୍ ପ୍ରିକ୍ୱାର୍ଟର୍ ଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ସେମାନେ ହେଲେ ଶିକ୍ଷା ଓ ଜସମିନ୍। ୫୪ କିଗ୍ରା ଓଜନ ବର୍ଗରେ ଶିକ୍ଷା ଆର୍ଜେଣ୍ଟିନାର ହେରେରା ମିଲାଗ୍ରୋସ୍ ରୋସାରିଓଙ୍କୁ ୫-୦ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ୍କୁ ଉନ୍ନୀତ ହୋଇଛନ୍ତି।
ସେହିପରି ଅନ୍ୟତମ ବକ୍ସର୍ ଜସମିନ୍ ଦୁଇ ଥରର ଯୁବ ଏସିଆନ୍ ଚାମ୍ପିଅନ୍ ଥାଇଲାଣ୍ଡ୍ର ପର୍ନତିପ୍ ବୁଆପାଙ୍କୁ ୪-୧ର ସ୍ଲିଟ୍ ନିଷ୍ପତ୍ତି ମାଧ୍ୟମରେ ପରାସ୍ତ କରିଛନ୍ତି। ତାଙ୍କ ବାଉଟ୍ରେ ଶିକ୍ଷା ଓ ପ୍ରତିଦ୍ୱନ୍ଦ୍ୱୀ ରୋସାରିଓ ପରସ୍ପରକୁ କ୍ରମାଗତ ଆକ୍ରମଣ କରିଥିଲେ। କିନ୍ତୁ ଶିକ୍ଷାଙ୍କ ପଞ୍ଚ୍ଗୁଡ଼ିକ ବେଶ୍ ସଠିକ୍ ଓ ତୀକ୍ଷଣ ରହିଥିଲା। ଗୁରୁବାର ଶେଷ ବାଉଟ୍ରେ ଜସମିନ୍ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାପଚୁପ କରି ଆକ୍ରମଣ କରିଥିଲେ। ତାଙ୍କ ପଞ୍ଚ୍ଗୁଡ଼ିକ ସଠିକ୍ ଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀଙ୍କ ପଞ୍ଚରୁ ସହଜରେ ମୁକୁଳିପାରିଥିଲେ। ଏପରିକି ପ୍ରଥମ ରାଉଣ୍ଡ୍ରେ ଜସମିନ୍ଙ୍କୁ ବୁଆପା ସ୍ପର୍ଶ ବି କରିପାରି ନ ଥିଲେ। ଏହାପରେ ଜସମିନ୍ ପ୍ରତିଆକ୍ରମଣ କରି ଶେଷ ୧୬ ପ୍ରତିଯୋଗୀଙ୍କ ମଧ୍ୟରେ ସାମିଲ୍ ହୋଇଥିଲେ।