ସୁଲେହମାନିୟା,ଏଜେନ୍ସି: ଇରାକ୍ର ସୁଲେମାନିଆଠାରେ ଚାଲିଥିବା ଏସିଆ କପ୍ ଲେଗ୍-୨ରେ ଭାରତୀୟ ଆର୍ଚର୍ମାନେ ମଙ୍ଗଳବାର ୩ଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ୍ ଜିତି ପଦକ ଖାତା ଖୋଲିଛନ୍ତି । ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ୍ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ପରନୀତ କୋର୍, ଅଦିତି ସ୍ୱାମୀ ଓ ସାକ୍ଷୀ ଚୌଧୁରୀ ଦେଇଥିଲେ । ମହିଳା କମ୍ପାଉଣ୍ଡ୍ ଟିମ୍ ଇଭେଣ୍ଟ୍ରେ ଭାରତୀୟ ଟିମ୍ କଜାଖ୍ସ୍ତାନକୁ ୨୦୪-୨୦୧ରେ ହରାଇଥିଲା । ଏହାପରେ ଏକତରଫା ପୁରୁଷ କମ୍ପାଉଣ୍ଡ୍ ଟିମ୍ ଫାଇନାଲ୍ରେ ବାଂଲାଦେଶକୁ ୨୨୪-୨୧୮ରେ ହରାଇ ପ୍ରଥମେଶ ଫୁଗେ, ଋଷଭ ଯାଦବ ଓ ଜକର୍ ସମାଧାନ ଦେଶ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ ବ୍ରୋଞ୍ଜ୍ ପଦକ ପ୍ଲେଅଫ୍ରେ କଜାଖ୍ସ୍ତାନର ସର୍ଗେ ଖ୍ରୀଷ୍ଟିଚ୍ଙ୍କୁ ୧୪୭-୧୪୫ରେ ହରାଇ ସମାଧାନ ବ୍ୟକ୍ତିଗତ ଦ୍ୱିତୀୟ ପଦକ ଜିତିଥିଲେ ।
ସମାଧାନଙ୍କ ବ୍ରୋଞ୍ଜ୍ ପଦକ ବିଜୟ ଫଳରେ ପୁରୁଷ କମ୍ପାଉଣ୍ଡ୍ ବ୍ୟକ୍ତିଗତ ବର୍ଗରେ ଭାରତ କ୍ଲିନ୍ସ୍ୱିପ୍ କରିବା ନିଶ୍ଚିତ ହୋଇଛି । କାରଣ ପ୍ରଥମେଶ ଓ ଋଷଭ ବୁଧବାର ଏହି ଇଭେଣ୍ଟ୍ର ଫାଇନାଲ୍ ଖେଳିବେ । ସେହିପରି କମ୍ପାଉଣ୍ଡ୍ ମିକ୍ସଡ୍ ଇଭେଣ୍ଟ୍ରେ ମଧ୍ୟ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ମଙ୍ଗଳବାର ପ୍ରଥମେଶ- ପରନୀତ୍ କୌର ଯୋଡ଼ି କଜାଖ୍ସ୍ତାନର ଆଦେଲ୍ ଝୋକ୍ସେନ୍ବିନୋଭା-ଖ୍ରୀଷ୍ଟିଚ୍ଙ୍କ ଯୋଡ଼ିକୁ ୧୫୮-୧୫୧ରେ ହରାଇ ଏହି ପଦକ ଜିତିଛନ୍ତି । ପ୍ରତିଯୋଗିତାର ଅନ୍ତିମ ଦିନରେ ବୁଧବାର ଭାରତୀୟ ଆର୍ଚର୍ ୭ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍ ପାଇଁ ମୁକାବିଲା କରିବେ ।