ବ୍ୟାଙ୍କକ୍,ଏଜେନ୍ସି: ଚଳିତ ଉବେର୍ କପ୍ରେ ଭାରତୀୟ ମହିଳା ଟିମ୍ କ୍ରମାଗତ ଦ୍ୱିତୀୟ ବିଜୟ ସହ ନକ୍ଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରିଛି । ମଙ୍ଗଳବାର ଅନୁଷ୍ଠିତ ଗ୍ରୁପ୍-ଡି’ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ୪-୧ ଏକପାଖିଆ ମ୍ୟାଚ୍ରେ ଆମେରିକାକୁ ହରାଇ ଦେଇଛି । ପ୍ରଥମ ମ୍ୟାଚ୍ରେ କାନାଡାକୁ ୪-୧ରେ ହରାଇଥିବା ଭାରତୀୟ ଟିମ୍ ଏହି ବିଜୟ ସହ ନିଜ ଗ୍ରୁପ୍ର ଶୀର୍ଷ ଦୁଇରେ ସ୍ଥିତି ମଜଭୁତ କରି କ୍ୱାର୍ଟର୍ ଫାଇନାଲ୍ ଯୋଗ୍ୟତା ହାସଲ କରିଛି । ଶୀର୍ଷ ଶଟ୍ଲର୍ ପୁଣିଥରେ ଭାରତର ଅଭିଯାନ ଆରମ୍ଭ କରି ଜେନ୍ନି ଗାଇଙ୍କୁ ୨୧-୧୦, ୨୧-୧୧ ସିଧା ଗେମ୍ରେ ହରାଇଥିଲେ । ଏହାପରେ ତନିଷା କାଷ୍ଟ୍ରୋ ଓ ତ୍ରୀଶା ଜୋଲିଙ୍କ ଯୋଡ଼ି ୨୧-୧୯, ୨୧-୧୦ରେ ଫ୍ରାନ୍ସେକ୍ସା କର୍ବଟ୍ ଓ ଆଲିସନ୍ ଲି’ଙ୍କୁ ହରାଇ ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ ।
ପରବର୍ତ୍ତୀ ସିଙ୍ଗଲ୍ସ ମ୍ୟାଚ୍ରେ ଇସ୍ଥର୍ ସି’ଙ୍କୁ ୨୧-୧୮, ୨୧-୧୧ରେ ମାତ୍ ଦେଇ ଆକାଶୀ କଶ୍ୟପ ଅଗ୍ରଣୀକୁ ୩-୦ କରିଥିଲେ । ତେବେ ପରବର୍ତ୍ତୀ ଡବଲ୍ସ ମ୍ୟାଚ୍ରେ ସିମ୍ରନ୍ ସିଂଘି ଓ ଋତିକା ଥାକ୍ରେଙ୍କ ଯୁବ ଯୋଡ଼ି ସଂଘର୍ଷ କରି ଲରେନ୍ ଲାମ୍ ଓ କୋଡି ତାଙ୍ଗ୍ ଲି’ଙ୍କଠାରୁ ୧୨-୨୧, ୨୧-୧୭, ୧୩-୨୧ରେ ପରାଜିତ ହୋଇଥିଲେ । ଅନ୍ତିମ ମ୍ୟାଚ୍ରେ ଅସ୍ମିତା ଚଲିହା ୨୧-୧୮, ୨୧-୧୩ରେ ନାତାଲି ଶି’ଙ୍କ ହରାଇ ମ୍ୟାଚ୍ ହାତେଇଥିଲେ । ପୂର୍ବରୁ ଟୁର୍ଣ୍ଣାମେଣ୍ଟ୍ରେ ଦୁଇଟି ବ୍ରୋଞ୍ଜ୍ ପଦକ ଜିତିଥିବା ଭାରତୀୟ ମହିଳା ଟିମ୍ ଅନ୍ତିମ ଗ୍ରୁପ୍ ମ୍ୟାଚ୍ରେ ବୁଧବାର କୋରିଆକୁ ଭେଟିବ । ଏହା ପୂର୍ବରୁ ଭାରତୀୟ ପୁରୁଷ ଟିମ୍ କ୍ରମାଗତ ତିନିଟି ବିଜୟ ସହ ନିଜ ଗ୍ରୁପ୍ର ଶୀର୍ଷ-୨ରେ ସ୍ଥାନ ହାସଲ କରି ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିସାରିଛି ।