ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଗଡଭିତର ୧୦ ନଂ ୱାର୍ଡର ବିଜେଡି କାଉନସିଲରଙ୍କ ସ୍ବାମି ସଞ୍ଜିବ ଗୁରୁ (ରାଜା) ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ତରଭା ପୁଲିସ। ମଦ ପିଇ ସାମାନ୍ୟ ବଚସାରୁ ହତ୍ୟା ହୋଇଥିବା ପୁଲିସ ସୂଚନା ଦେଇଛି। ଏନେଇ ତରଭା ପୁଲିସ ଏକ ଦଳ ଗଠନ କରି ଘଟଣାର ତଦନ୍ତ କରିଥିଲା। ହତ୍ୟା ଅଭିଯୁକ୍ତ ଶ୍ରୀତମ କୁମାର ଗୁରୁକୁ ଗିରଫ କରିଥିବାବେଳେ ପଚରା ଉଚରା କରିଥିବାବେଳେ ସେ ହତ୍ୟା କରିଥିବା ସ୍ବିକାର କରିଥିବା ପୁଲିସ କହିଛି। ଶ୍ରୀତମ ରାଜାଙ୍କ କାକା ପୁଅ ଭାଇ ବୋଲି ଜଣାପଡିଛି। ଘଟଣାରେ ସେ ଏକା ଅଛନ୍ତି ନା ଆଉ କିଏ ଅଛି ସେନେଇ ଅଧିକ ଅନୁସନ୍ଧାନ କରୁଛି ତରଭା ପୁଲିସ। ଆଜି ଅଭିଯୁକ୍ତକୁ ଗିରଫ ପରେ ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ।
ଗତ ଶନିବାର ରାତିରେ ଧାରୁଆ ଅସ୍ତ୍ରରେ ରାଜାଙ୍କୁ ହତ୍ୟା କରି ଘରେ ପକାଇ ଦେଇଥିବା ଅଭିଯୋଗ ହୋଇଥିଲା। ପୁଲିସର ସୂଚନା ଅନୁସାରେ ୩ ଜଣ ସାଙ୍ଗ ହୋଇ ମଦ ପିଇଥିଲେ। ପରେ ଶ୍ରୀତମକୁ ପୁଣି ମଦ ଆଣିବାକୁ କହିଥିଲା ରାଜା। ମଦ ପିଇ ସାରିବା ପରେ ଘର ଭିତରେ ହଠାତ ଦୁଇ ଭାଇଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିବାବେଳେ ପ୍ରଥମେ ରାଜା ଶ୍ରୀତମକୁ ଏକ ମୁଥ ମାରିଥିଲା। ପରେ ନିଜକୁ ରକ୍ଷା କରିବାକୁ ଯାଇ ଉତ୍ୟକ୍ତ ଶ୍ରୀତମ ଏକ ଲୁହା ପାଇପରେ ରାଜାଙ୍କ ମୁଣ୍ଡକୁ ପିଟିଥିଲା। ଫଳରେ ଅତ୍ୟଧିକ ରକ୍ତସ୍ରାବ ହୋଇ ଘଟଣା ସ୍ଥଳରେ ରାଜାର ମୃତ୍ୟୁ ହୋଇଥିଲା। ଏନେଇ ଏକ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା।
ଦିଅର ଭାଉଜଙ୍କ ଅନୈତିକ ପ୍ରେମ ସମ୍ପର୍କ ଯୋଗୁଁ ଘଟଣା ଘଟିଥିବା ତରଭା ସହରରେ ଚର୍ଚ୍ଚା ହେଉଛି। ଏନେଇ ପୁଲିସକୁ ପଚରାଯିବାରୁ ଆରକ୍ଷୀ ଅଧିକ୍ଷକ ଏହାକୁ ଖଣ୍ଡନ କରି ଆଗାମୀ ଦିନରେ ଏହି ଘଟଣା ଉପରେ ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି ପୁଲିସ ଠିକ ତଦନ୍ତ କରିଛି ନା ଏକ ମନଗଢା କାହାଣି ତିଆରି କରିଛି। ବିଜେଡି ଦଳର କାଉନସିଲର ହୋଇଥିବାରୁ ଲୋକ ଲଜ୍ୟା ଭୟରେ ତଦନ୍ତ ବାଟବଣା ହୋଇନି ତ? ଏଥିପ୍ରତି ପୁଲିସ ପ୍ରଶାସନର ସଠିକ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।