ପାଟଣାଗଡ଼,ଏନ୍ଏନ୍ଏସ୍: ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ବଲାଙ୍ଗିର ଜିଲ୍ଲାର ସୈବପୀଠ ହରିଶଙ୍କରକୁ ରାଜ୍ୟ ସରକାର ଅଣଦେଖା କରୁଥିବା ବେଳେ ଏହି ପୀଠକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ଆସନ୍ତା ୧୪ରୁ ୧୬ ପର୍ଯ୍ୟନ୍ତ ହେବାକୁ ଥିବା ହରିଶଙ୍କର ମେଳାକୁ ସରକାର ଅଣଦେଖା କରି ଜିଲ୍ଲାସ୍ତରୀୟ ମାନ୍ୟତା କିମ୍ବା ରାଜ୍ୟସ୍ତରୀୟ ମାନ୍ୟତା ଦେଇ ନଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି।
ଏହି ତୀର୍ଥ କ୍ଷେତ୍ର ତଥା ଐତିହାସିକ ବୌଦ୍ଧ ବିହାର ଯାହାକି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏବଂ କୋସାଲଞ୍ଚଳ ଅନ୍ୟତମ ଆକର୍ଷଣ ପର୍ଯ୍ୟଟନ ସ୍ଥଳୀ। ଏହି କ୍ଷେତ୍ର କୋସାଲଞ୍ଚଳରେ ଥିବାରୁ ରାଜ୍ୟ ସରକାର ସବୁବେଳେ ଅଣଦେଖା କରିଆସୁଛନ୍ତି। ସରକାର ପୁରୀ ରଥଯାତ୍ରା କଟକ ବାଲିଯାତ୍ରା କୋଣାର୍କ ମହୋତ୍ସବ ଓ ପୁରୀ ବେଳାଭୂମୀ ପାଇଁ ଶହ ଶହ କୋଟି ଟଙ୍କା ଅନୁଦାନ ଦେଉଥିବା ବେଳେ ହରିଶଙ୍କର ମେଳା ପାଇଁ ପକ୍ଷପାତିତା କାହିଁକି।
ଆଜି କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ୩ ଦଫା ଦାବି ନେଇ ମୁକ୍ତି ମୋର୍ଚ୍ଚାର ସଭ୍ୟମାନେ ସ୍ଥାନୀୟ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଆମରଣ ଅନଶନ କରିଥିବା ଦେଖିବାକୁ ମିଳିଛି। ଏହି ଆମରଣ ଅନସନରେ କୋଶଳ ମୁକ୍ତି ମୋର୍ଚ୍ଚାର ଅଚ୍ୟୁତ ସିପୁନ ଖମାରି, ସୁଶୀଳ ଗୁରୁ, ବନମାଳୀ ନାୟକ, ଡିଙ୍ଗର କୁମ୍ଭାର, ଗିରିରାଜ ଭୋଇ, କାଶୀନାଥ ମେହେର, ସୁବାସ ଆଚାର୍ଯ୍ୟ, ସନ୍ତୋସିନୀ ବିଶି, ଚନ୍ଦ୍ରକାନ୍ତି ସେଠ, ନିରୂପମା ଧରୁଆ, ମଞ୍ଜୁଲତା ବିଶ୍ୱାଳ, ଲଷ୍ମୀ ଶବର ପ୍ରମୁଖ ବସିଥିବାର ଜଣାପଡିଛି। ଯଦି ସରକାର ଏ ବିଷୟରେ ପଦକ୍ଷେପ ନନିଅନ୍ତି ଆଗାମୀ ଦିନରେ ପରିସ୍ଥିତି ଭୟାନକ ହେବ ବୋଲି ଚେତାବନୀ ଦେଇଛନ୍ତି।