ନୂଆଦିଲ୍ଲୀ,ଏଜେନ୍ସି: ବ୍ୟାଙ୍କକ୍ର ଇମ୍ପାକ୍ଟ, ମୁଆଙ୍ଗ୍ ଥୋଙ୍ଗ୍ ଥାନିଠାରେ ରବିବାରଠାରୁ ଆରମ୍ଭ ହୋଇଛି ଥୋମାସ୍ ଓ ଉବେର୍ କପ୍। ପ୍ରଥମ ଦିନରେ ଥୋମାସ୍ କପ୍ରେ ଭାରତୀୟ ପୁରୁଷ ଦଳ ୫-୦ରେ ଜର୍ମାନୀକୁ ପରାସ୍ତ କରି ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୱାର୍ଲ୍ଡ ଚାମ୍ପିଅନ୍ଶିପ୍ ବ୍ରୋଞ୍ଜ୍ ପଦକ ବିଜେତା ଲକ୍ଷ୍ୟ ସେନ୍ ୨୧-୧୬, ୨୧-୧୩ରେ ବିଶ୍ୱର ୬୪ ନମ୍ବର ଖେଳାଳି ମ୍ୟାକ୍ସ ୱିସ୍କିର୍ଚେନ୍ଙ୍କୁ ପରାସ୍ତ କରି ୧-୦ରେ ଭାରତକୁ ଆଗୁଆ କରାଇଥିଲେ। ଏହାପରେ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ୍ ରାଙ୍କିରେଡ୍ଡୀ-ଚିରାଗ୍ ଶେଟ୍ଟୀ ପ୍ରତିପକ୍ଷ ଜୋନ୍ସ ରାଫି ଜାନସନ୍-ମାର୍ଭିନ୍ ସିଡେଲ୍ ଯୋଡ଼ିକୁ ୨୧-୧୫, ୧୦-୨୧, ୨୧-୧୩ରେ ହରାଇ ଏହାକୁ ଦ୍ୱିଗୁଣିତ କରିଥିଲେ।
ଏହି ମ୍ୟାଚ୍ଟି ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ଚାଲିଥିଲା। ସେହିପରି ବିଶ୍ୱର ୧୧ ନମ୍ବର ଖେଳାଳି କିଦାମ୍ବୀ ଶ୍ରୀକାନ୍ତ ୧୮-୨୧, ୨୧-୯, ୨୧-୧୧ରେ କାଇ ସ୍କାଫର୍ଙ୍କୁ ହରାଇ ଗ୍ରୁପ୍-ସି’ରେ ସ୍ଥାନ ପାଇଥିôବା ଭାରତକୁ ୩-୦ର ଅଗ୍ରଣୀ ଦେଇଥିଲେ। ଏହାଛଡ଼ା ଏମ୍ଆର୍ ଅର୍ଜୁନ-ଧ୍ରୁବ କପିଲା ଯୋଡ଼ି ୨୫-୨୩, ୨୧-୧୫ରେ ବିଜାର୍ନେ ଗିସ୍-ଜାନ୍ କୋଲିନ୍ ଭୋଏଲକର୍ ଯୋଡ଼ିକୁ ଏବଂ ୨୩ ନମ୍ବର ଖେଳାଳି ଏଚ୍ଏସ୍ ପ୍ରଣୟ ୨୧-୯, ୨୧-୯ ସିଧାସଳଖ ଗେମ୍ରେ ମାଥିଆସ୍ କିକ୍ଲିଜ୍ଙ୍କୁ ପରାସ୍ତ କରିବା ଫଳରେ ଭାରତ ଜର୍ମାନୀ ବିପକ୍ଷରେ କ୍ଲିନ୍ସୁଇପ୍ କରିଥିଲା। ଭାରତ ସଂସ୍କରଣରେ ପ୍ରଥମ ଟାଇଟଲ୍ ଲକ୍ଷ୍ୟରେ ଖେଳୁଥିବା ବେଳେ ଏହି ଦମ୍ଦାର ବିଜୟ ଏପରି ସମ୍ଭାବନାକୁ ଉଜ୍ଜ୍ୱଳ କରିଛି। ଦଳ ଗତ ସଂସ୍କରଣରେ କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲା।