ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ସମୟ ପରେ ପରେ ପ୍ରତିଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବୃଦ୍ଧି ପାଇଚାଲିଛି। ବିଶେଷ କରି ପେଟ୍ରୋଲ୍, ଡିଜେଲ୍, ରନ୍ଧନ ଗ୍ୟାସ୍ ଏବଂ ଖାଇବା ତେଲ ଦର ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି। ଇତିମଧ୍ୟରେ ଶୁକ୍ରବାର କେନ୍ଦ୍ର ସରକାର ଏଲ୍ପିଜି ସିଲିଣ୍ଡର ଦରରେ ଆଉ ୫୦ ଟଙ୍କା ବୃଦ୍ଧି କରିବାକୁ ନେଇ ଦେଶବ୍ୟାପୀ ବିରୋଧାଭାସ ସୃଷ୍ଟିହୋଇଛି। ଓଡ଼ିଶାରେ ମଧ୍ୟ ଏହାକୁ ନେଇ ବିଜେଡି, ବିଜେପି ଏବଂ କଂଗ୍ରେସ ନେତାଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ଦେଖିବାକୁ ମିଳିଛି।
ଗ୍ୟାସ୍ ଦରବୃଦ୍ଧି ପ୍ରସଙ୍ଗରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଗ୍ୟାସ୍ ସିଲିଣ୍ଡର ଦର ପ୍ରତିଦିନ ବଢ଼ିଚାଲିଛି । ଦୁଇ ତିନି ବର୍ଷ ମଧ୍ୟରେ ଗୋଟିଏ ଏଲପିଜି ସିଲିଣ୍ଡର ଦର ହଜାରେ ଟପିଲାଣି । ପ୍ରଧାନମନ୍ତ୍ରୀ ଅଛେଦିନ୍ କଥା କହିଥିଲେ । ହେଲେ ଏବେ ମହିଳାମାନେ କେନ୍ଦ୍ର ସରକାରଙ୍କ ଯୋଗୁଁ ପ୍ରବଳ ହଇରାଣରେ ଅଛନ୍ତି । ରୋଷେଇ ଘରେ କାନ୍ଦଣା ଚାଲିଛି । ଯେତେବେଳେ ଗ୍ୟାସ୍, ପୋଟ୍ରୋଲ ଦରଦାମ୍ ବୃଦ୍ଧି ହୋଇଛି, ବିଜେଡି ସବୁବେଳେ ଆନ୍ଦୋଳନ କରିଆସିଛି । ଆମେ ସବୁବେଳେ ଲୋକଙ୍କ ସହିତ ଅଛୁ । ତେଣୁ, କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ବିରୁଦ୍ଧରେ ମଧ୍ୟ ଲୋକଙ୍କୁ ଅବଗତ କରିବୁ । ଖରା ଟିକେ କମିଗଲେ ବିଜେଡି ଏହି ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ ।
ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, କରୋନା ସମୟରେ ଗ୍ୟାସ୍ ଦର ଯେଉଁଭଳି ଭାବରେ ବଢ଼ିଛି, ତାହା ଗୃହିଣୀମାନଙ୍କୁ ବାଧିଛି । କେନ୍ଦ୍ରର ବିଜେପି ସରକାର ମନଇଚ୍ଛା ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ୍ ଦର ବଢ଼ାଇ ଚାଲିଛନ୍ତି । ପୁଣି ଗ୍ୟାସ୍ ଦର ୫୦ ଟଙ୍କା ବଢ଼ାଇଦେଲେ । ଆଜି ଅନେକଙ୍କ ଘରେ ଏଥିପାଇଁ ଚୁଲା ଜଳିପାରୁନି । ଦରବୃଦ୍ଧି ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର କୌଣସି ପଦକ୍ଷେପ ନେଉନାହିଁ । ଲୋକଙ୍କ ଦ୍ୱାରା ଭୋଟ୍ ବେଳେ ପ୍ରତ୍ୟାଖାନ୍ ହେବାର ଭୟ ଆଉ ସେମାନଙ୍କର ନାହିଁ । କେବଳ ସାମ୍ପ୍ରଦାୟିକ କଥା କହି ବିଜେପି ଭୁଆଁ ବୁଲେଇଚାଲିଛି ।
ଅନ୍ୟପଟେ ଏହାକୁ ନେଇ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସଫେଇରେ କହିଛନ୍ତି, ଲୋକ ତ ଟଙ୍କିକିଆ ଚାଉଳ ଖାଉଛନ୍ତି, ସେ ବାବଦରେ ଗ୍ୟାସ୍ରେ ପଇସା ଦିଅନ୍ତୁ । ଏବେ ପ୍ରତି ଘରେ ଗ୍ୟାସ୍ । ଆଗରୁ ତ ଟଙ୍କିକିଆ ଚାଉଳ ମିଳୁନଥିଲା । ଏବେ ମିଳୁଛି ଯେହେତୁ ଗ୍ୟାସ୍ ବାବଦରେ ପଇସା ଦେବେ । ଗ୍ୟାସ୍ ଦର ସବୁବେଳେ ବଢ଼ିବ, କମିବ । ଗତ କିଛି ବର୍ଷ ଧରି ଏମିତି ଚାଲିଛି । ଦର କମିଲା ବେଳେ କେହି ଧନ୍ୟବାଦ ଦେଉନାହାନ୍ତି । ବଢ଼ିଗଲା ବେଳେ ସମସ୍ତେ ଟିକେ ବିରୋଧ କରିବା ସ୍ୱାଭାବିକ୍ ।