ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୀତତାପ ନିୟନ୍ତ୍ରିତ କକ୍ଷରେ ଜଣେ ନିଆଁରେ ପୋଡ଼ି ଗୁରୁତର ଥିବା ୭ ବର୍ଷୀୟା ଶିଶୁକନ୍ୟାକୁ ରଖାଯାଇଥିଲା । କିନ୍ତୁ ରାତାରାତି ତାଙ୍କୁ ସେଠାରୁ ବାହାର କରି ତିଳେଇବଣି ବ୍ଲକ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାରଣାନ୍ତକ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଦେବଗଡ଼ ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଯୋଗାଇ ଦିଆଯାଇଛି ।
ମିଳିଥିବା ରିପୋର୍ଟ ମୁତାବକ, ବାରକୋଟ ବ୍ଲକ ଅନ୍ତର୍ଗତ ଚକ୍ରପାଲି ଗ୍ରାମର ଗୋବିନ୍ଦ ନାୟକଙ୍କ ୭ ବର୍ଷୀୟା ଶିଶୁ କନ୍ୟା ସ୍ନେହା ଜନ୍ମ ହେବାର ୭ ମାସ ପରେ ମା’ ଛେଉଣ୍ଡ ହୋଇଯାଇଥିଲା । ବାପା ଗୋବିନ୍ଦ ମଧ୍ୟ ଅନ୍ୟ ଜଣେ ସ୍ତ୍ରୀ ସହ ଘର ଛାଡ଼ି ଚାଲିଯିବା ପରେ ଅସହାୟ ଶିଶୁକନ୍ୟାର ଦାୟିତ୍ୱ ଜେଜେ ବାପା, ଜେଜେ ମା’ନେଇଥିଲେ । ଗତ ଜାନୁଆରୀ ମାସରେ ନିଆଁ ପୁଁ ଥିବାବେଳେ ସ୍ନେହାର ପିନ୍ଧା ଡ୍ରେସରେ ନିଆଁ ଲାଗିଯିବାରୁ ସେ ଗୁରୁତର ଭାବେ ପୋଡ଼ି ଯାଇଥିଲେ । ପଡ଼ୋଶୀଙ୍କ ସହାୟତାରେ ନାତୁଣୀ ସ୍ନେହାକୁ ଜେଜେ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅର୍ଥ ଅଭାବରୁ ଗୁରୁତର ସ୍ନେହାକୁ ଚିକିତ୍ସାଧୀନ ଅବସ୍ଥାରେ ଜେଜେ ଘରକୁ ନେଇ ଆସିଥିଲେ । ତେବେ ଆଜବେଷ୍ଟ ଘରେ ଗରମ ବାତାବରଣରେ ସ୍ନେହାର ଘା’ ଗୁରୁତର ହେଉଥିବା ଦେଖି ନାତୁଣୀକୁ ବଞ୍ଚାଇବା ପାଇଁ ଜେଜେ ବିଭିନ୍ନ ଲୋକଙ୍କୁ ଗୁହାରି କରିଥିଲେ । ଏହି ଘଟଣା ଜିଲ୍ଲା ପ୍ରଶାସନ ଦୃଷ୍ଟିରେ ପଡ଼ିବା ପରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ବ୍ଲକ ପ୍ରଶାସନ ଗୁରୁତର ସ୍ନେହାକୁ ଚକ୍ରପାଲି ଗ୍ରାମରେ ଥିବା ଜେଜେଙ୍କ ଘରୁ ଗତ ୨୫ ତାରିଖରେ ଉଦ୍ଧାର କରି ପୁଣିଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତରଖାନା ପକ୍ଷରୁ ମାଗଣା ଚିକତ୍ସା ସୁବିଧା ଯୋଗାଇ ଦେବାସହ ସ୍ନେହାକୁ ଡାକ୍ତରଖାନାର ସ୍ୱତନ୍ତ୍ର କ୍ୟାବିନରେ ଭର୍ତ୍ତି କରାଯାଇଥିଲା । ସେହିପରି ବ୍ଲକ ଓଏଲଏମ କର୍ମଚାରୀସଂଗ୍ରହ କରିଥିବା ୩୦ ହଜାର ଟଙ୍କା ଓ ବଡ଼ିଓ ଆକାଶ ସାହୁ ବ୍ୟକ୍ତିଗତ ଭାବେ ୧୦ ହଜାର ଟଙ୍କା ଗୁରୁତର ସ୍ନେହାର ଜେଜେ ମା’ ଓ ଜେଜେ ବାପାଙ୍କୁ ଡାକ୍ତରଖାନାକୁ ଯାଇ ଦେବାସହ ଶିଶୁର ଭଲମନ୍ଦ ବୁଝିଥିଲେ । ତେବେ ଗତ ୧ ତାରିଖରେ ଗିରଫ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଜାମିନ ଶୁଣାଣି ଆସନ୍ତା ୭ ତାରିଖକୁ ଧାର୍ଯ୍ୟ ହୋଇଥିବାବେଳେ ଶ୍ରୀ ପାଣିଗ୍ରାହୀ ଅସୁସ୍ଥ ଅନୁଭବ କରିବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଡାକ୍ତରଖାନା କ୍ୟାବିନର ଗୋଟିଏ କୋଠରୀ ଶୀତତାପ ନିୟନ୍ତ୍ରିତ ଥିବାରୁ ସେଠାରେ ପୂର୍ବରୁ ଚିକିତ୍ସାଧୀନ ଗୁରୁତର ସ୍ନେହାକୁ କାଢ଼ି ଉକ୍ତ ବିଧାୟକଙ୍କୁ ଦିଆଯିବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି ।