ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ୨ ଶିକ୍ଷକ ଗୁରୁତର

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଟିକ୍ରାପଡ଼ା ସ୍କୁଲରେ ମାଟ୍ରିକ ପରୀକ୍ଷା ଆଜି ସକାଳୁ ଆରମ୍ଭ ହୋଇଛି । ପରୀକ୍ଷା ଡ୍ୟୁଟି ସାରି ୨ ଶିକ୍ଷକ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଗୁରୁତର ଆହତ ହୋଇଛନ୍ତି । ଦୁହିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ଜଣାପଡ଼ିଛି ।

ମିଳିଥିବା ରିପୋର୍ଟ ମୁତାବକ, ରେଙ୍ଗାଲି ହାଇସ୍କୁଲ ଶିକ୍ଷକ ରାଧାକାନ୍ତ ନାୟକ ଓ କୌତୁକ ପଟେଲଙ୍କୁ ଡେପୁଟେସନରେ ଟିକ୍ରାପଡ଼ା ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଡ୍ୟୁଟି ଦିଆଯାଇଛି । ତେବେ ଆଜି ପରୀକ୍ଷା ଶେଷ ହେବା ପରେ ୨ ଶିକ୍ଷକ ଘରକୁ ଗୋଟିଏ ବାଇକ ଯୋଗେ ଫେରୁଥିଲେ । କିନ୍ତୁ ଗାଡ଼ି ଚଳାଉଥିବା ଶିକ୍ଷକଙ୍କ ମୁଣ୍ଡ ବୁଲେଇବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଥିଲେ । ଫଳରେ ଦୁହେଁ ଗୁରୁତର ଭାବେ ଆହତ ହୋଇଥିବାରୁ ସେମାନଙ୍କୁ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କୌତୁକ ପଟେଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ତେବେ ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ସ୍ଥିତିରେ ୨ ଶିକ୍ଷକଙ୍କୁ ଡ୍ୟୁଟି କରିବା ପାଇଁ ୪୦ କିଲୋମିଟର ଯିବାକୁ ପଡୁଥିବାବେଳେ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।