ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଶୁକ୍ରବାର (ଏପ୍ରିଲ ୨୯) ଠାରୁ ଆରମ୍ଭ ହୋଇଛି। ରାଜ୍ୟର ମୋଟ ୩୫୪୦ ପରୀକ୍ଷା କେନ୍ଦ୍ରରେ ୫,୮୫, ୭୩୦ ଜଣ ଛାତ୍ରଛାତ୍ରୀ ସେମାନଙ୍କର ବାର୍ଷିକ ପରୀକ୍ଷା ଦେଉଛନ୍ତି। ପରୀକ୍ଷା ଗୁଡ଼ିକର ପ୍ରଶ୍ନପତ୍ର ୩୧୫ଟି ନୋଡାଲ ସେଣ୍ଟରରେ ରଖାଯାଇଛି। ସେହିପରି ୨୧ଟି ଥାନାକୁ ନୋଡାଲ ସେଣ୍ଟର କରାଯାଇଛି। ପ୍ରାୟ ୩୫ ହଜାର ଶିକ୍ଷକ-ଶିକ୍ଷୟିତ୍ରୀ ପରୀକ୍ଷାରେ ନିୟୋଜିତ ଅଛନ୍ତି। ପରୀକ୍ଷା ନେଇ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ମନରେ ଉତ୍ସାହ ଦେଖାଯାଇଛି।
ଆଜି ପ୍ରଥମ ଦିନର ପରୀକ୍ଷା ହୋଇଥିବାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକ ସକାଳ ୭ଟାରୁ ଖୋଲିଥିଲା। କିନ୍ତୁ ଦ୍ୱିତୀୟ ଦିନ ଠାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକ ସକାଳ ୭ଟା ୧୫ରୁ ଖୋଲିବ। ପରୀକ୍ଷା ୮ଟାରୁ ଆରମ୍ଭ ହେବାକୁ ଥିବା ବେଳେ ୭ଟା ୪୫ରେ ପିଲାମାନଙ୍କୁ ପ୍ରଶ୍ନପତ୍ର ଦିଆଯିବ। ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାର୍ଟ-୧ (ଅବଜେକ୍ଟିଭ) ପରୀକ୍ଷା ସକାଳ ୮ଟାରୁ ୯ଟା ଭିତରେ ହେବ। ସେହିଭଳି ସବଜେକ୍ଟିଭ ପରୀକ୍ଷା ୯ଟାରୁ ୧୦ ଟା ପର୍ଯ୍ୟନ୍ତ ଚାଲିବ।