ଦେବଗଡ଼,ଏନ୍ଏନ୍ଏସ୍: ରାଷ୍ଟ୍ରୀୟ କିସାନ ପରିଷଦ ଓ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ମିଳିତ ଆନୁକଲ୍ୟରେ ତିଳେଇବଣି ବ୍ଲକ୍ କୁରେଇବାହାଲ ଗ୍ରାମ ଠାରେ ବିଶାଳ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପ୍ରାନ୍ତୀୟ ସଭାପତି ଦୀପକ କୁମାର ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କୃଷକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧକ୍ଷ ଡ଼କ୍ଟର ପ୍ରବୀଣ ଭାଇ ତୋଗାଡ଼ିଆ ଯୋଗଦେଇ ଉପସ୍ଥିତ କୃଷକଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ କୃଷକର ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ନିର୍ଦ୍ଧାରଣ ସହ ବନ୍ୟ ଜନ୍ତୁ ଦ୍ୱାରା କ୍ଷତି ଗ୍ରସ୍ତ ଫସଲର କ୍ଷତି ପୂରଣ ରାଶି ତୁରନ୍ତ ପ୍ରଦାନ ପାଇଁ ଦାବି କରିବା ସହ ଚାଷୀ ଉତ୍ପାଦିତ ଫସଲରେ ଚାଷୀର ଅଧିକାର ବଦଳରେ ଚାଷୀଙ୍କୁ ଲୁଣ୍ଠନ କରୁଥିବା ସରକାରୀ ନୀତିକୁ ଦୃଢ଼ ବିରୋଧ କରିଥିଲେ।
ଏଥିସହ ” ଫସଲ ହମାରୀ ଦାମ ତୁମ୍ହାରା ନହିଁ ଚଲେଗା ” ନାରା ରେ ଉପସ୍ଥିତ ଚାଷୀ ମାନେ ସ୍ୱର ମିଳାଇ ଥିଲେ। ଏହି ଅବସରରେ ଶ୍ରୀ ତୋଗାଡ଼ିଆ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ କିସାନ ପରିଷଦରେ ସାମିଲ ହୋଇ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରି ନିଜ ଅଧିକାର ହାସଲ ପାଇଁ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ କେନ୍ଦ୍ରମନ୍ତ୍ରୀ ମନୋଜ ସାହୁ, ସମ୍ପାଦକ ପ୍ରେମ ସାଗର ସାହୁ, ସଂଗଠନ ମନ୍ତ୍ରୀ ଭୋଳା ବାବା, ପଶ୍ଚିମ ପ୍ରାନ୍ତୀୟ ସମ୍ପାଦକ ଲବ ରଣା, ସହ ସମ୍ପାଦକ ହେମନ୍ତ ମେହେର, ଦେବଗଡ଼ ଜିଲ୍ଲା ସଭାପତି ମହାଦେବ ସାହୁ, ପ୍ରାନ୍ତୀୟ କିସାନ ପରିଷଦ ଜିଲ୍ଲା ସଭାପତି କିଶୋର ଚନ୍ଦ୍ର ବେହେରା ଓ ରାଷ୍ଟ୍ରୀୟ କିସାନ ପରିଷଦ ବ୍ଲକ୍ ସଭାପତି କିଶୋର ଚନ୍ଦ୍ର ସାମଲ ପ୍ରମୁଖ ମଞ୍ଚାସୀନ ଥିଲେ।
ସୁନ୍ଦରଗଡ଼ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅପରାହ୍ନରେ ତିଳେଇବଣି ବ୍ଲକ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପହଞ୍ଚିବା ପରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଅଧକ୍ଷ ଶ୍ରୀ ତୋଗାଡ଼ିଆଙ୍କୁ ଅଞ୍ଚଳର ଚାଷୀଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଂକୀର୍ତନର ତାଳେ ତାଳେ ମଞ୍ଚ ନିକଟକୁ ପାଛୋଟି ଅଣାଯାଇଥିଲା।