ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାର ଏକମାତ୍ର ଶୈବ ପୀଠ ହରିଶଙ୍କରରେ ଆସନ୍ତା ମାସ ୧୪ରୁ ୧୬ ପର୍ଯ୍ୟନ୍ତ ବୈଶାଖୀ ମେଳା ତଥା ନୃସିଂହ ଚତୁର୍ଦ୍ଦଶୀ ମେଳା ଅନୁଷ୍ଠିତ ହେବ । ସେଥିପାଇଁ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଅଫିସ ପ୍ରକୋଷ୍ଠରେ ବିଜୟା ନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ପରେ ହରିଶଙ୍କର ମେଳା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଉପଖଣ୍ଡର ସମସ୍ତ ଅଧିକାରୀମାନେ ଯୋଗଦେଇ ଉକ୍ତ ମେଳାକୁ କିପରି ସଫଳ କରାଯିବ ସେନେଇ ଆଲୋଚନା କରିଥିଲେ ।
ସୂଚନାଯୋଗ୍ୟ, ଗତ ୨ବର୍ଷ ହେବ କରୋନା ଯୋଗୁ ମେଳା ବନ୍ଦ ରହିଥିଲା । ତେଣୁ ଏ ବର୍ଷ ନୃସିଂହ ମେଳାରେ ବହୁ ସଂଖ୍ୟକ ଭକ୍ତଙ୍କ ଭିଡ଼ ଆଶଙ୍କା ଦୃଷ୍ଟିରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ମେଳାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ସେଠୀ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ପାଟଣାଗଡ଼ ଉପଖଣ୍ଡର ପୁଲିସ ଅଧିକାରୀ ଜ୍ୟୋର୍ତିମୟ ଭୁକ୍ତା, ଗ୍ରାମ୍ୟ ଜଳ ଯୋଗାଣ ଏସଡିପିଓ ଗଗନ କିଷାନ, ସ୍ଥାନୀୟ ପୂର୍ତ୍ତ ବିଭାଗର ଏସଡିଓ ଅରୁଣ ପ୍ରକାଶ ଟେଟୋ, ବିଦ୍ୟୁତ ବିଭାଗର ଏସଡିଓ ଦେବଦତ୍ତ ମହାପାତ୍ର ସମେତ ସମସ୍ତ ବିଦ୍ୟୁତ ଅଫିସର ଓ ପାଟଣାଗଡ଼ର ସାମ୍ବାଦିକମାନେ ଅଂଶଗ୍ରହଣ କରିଥିଲେ । ଶେଷରେ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।