ଲାଭ ପାଇଁ ଆବଶ୍ୟକ କୌଶଳ ବିକାଶ; ଆଗକୁ ପୂର୍ବ ଭାରତର ସ୍କିଲ୍ ହବ୍ ହେବ ଓଡ଼ିଶା

ଭୁବନେଶ୍ବର,ଏନ୍ଏନ୍ଏସ୍: ଲାଭ ପାଇଁ କୌଶଳ ବିକାଶ କରିବାକୁ ପଡିବ। ଆଗାମୀ ଦିନରେ ପୂର୍ବ ଭାରତର ସ୍କିଲ୍ ହବ୍ ହେବ ଓଡ଼ିଶା। କୌଣସି ପିଲା ଦକ୍ଷତା ବିକାଶରୁ ବଞ୍ଚିତ ହେବେନି। ଏସଡିଆଇ ଓ ଏନସଡିସି (ନ୍ୟାସନାଲ ସ୍କିଲ ଡ଼େଭେଲପମେଣ୍ଟ କର୍ପୋରେସନ) ମଧ୍ୟରେ ଏବଂ ଏନ୍‌ଏସ୍‌ଡିସି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଯୁଗରେ ସମୟ ଓ ଆବଶ୍ୟକତା ସହ ଆଗେଇବାକୁ ପଡ଼ିବ। ସମ୍ମାନଜନକ ଜୀବିକା ବିକଶିତ କରିବାକୁ ପଡ଼ିବ। ହେଲେ ୯୦ ଦଶକ ପରେ ଅର୍ଥନୈତିକ ଗ୍ୟାପ ଅଧିକ ବଢ଼ିଛି। ଏଥିପାଇଁ କୃଷି ଆମକୁ ଲାଭ ଦେଉନି। ଲାଭ ପାଇଁ କୌଶଳ ବିକାଶ କରିବାକୁ ପଡ଼ିବ। ଏଥିପାଇଁ ଏସଡିଆଇ ଏବଂ ଏନଏସଡିସି ମଧ୍ୟରେ ହୋଇଥିବା ବୁଝାମଣାପତ୍ର ବଡ ପରିବର୍ତ୍ତନ ଆଣିବ। ବିଶ୍ବରେ ସ୍କିଲ୍ କ୍ୟାପିଟାଲ୍ ହେବ ଭାରତ। ଭାରତରେ ୧୫ରୁ ୨୫ବର୍ଷ ଭିତରେ ୨୫କୋଟି ପିଲା ଅଛନ୍ତି। ଓଡିଶାରେ ଏହି ସଂଖ୍ୟା ୭୫ ଲକ୍ଷ। ସେଥି ମଧ୍ୟରୁ ଛାତ୍ରଛାତ୍ରୀ ଅଧା ଅଛନ୍ତି। ଅର୍ଥାତ ପାଖାପାଖି ୨୫ରୁ ୩୦ଲକ୍ଷ ପିଲା ରୋଜଗାରକ୍ଷମ ହୋଇପାରିଛନ୍ତି।

ପ୍ରକୃତି ଓଡ଼ିଶାକୁ ବ୍ୟାପକ ପ୍ରାକୃତି ସମ୍ପଦ ଦେଇଛି। ତା ସହ ମାନବ ସମ୍ବଳ ରହିଛି। ଏହି ଦୁଇଟି ସଠିକ ଢଙ୍ଗରେ ବିନିଯୋଗ ହେଲେ ରାଜ୍ୟରେ ଅର୍ଥନୈତିକ ପ୍ରଗତି ଆସିପାରିବ। ଆମ ରାଜ୍ୟରୁ ଗଲ୍ଫ ଦେଶଗୁଡିକୁ ଯାଉଥିବା କୁଶଳୀ କାରିଗରଙ୍କୁ କୌଶଳ ବିକାଶ ତାଲିମ ସେମାନଙ୍କୁ ରୋଜଗାର ମିଳିବା ସହ ସାମାଜିକ ସୁରକ୍ଷା ହୋଇପାରିବ। ଏନଏସଡିସି ପକ୍ଷରୁ ୟୁଏଇ, ସାଉଦି ଆରବ, ବାହାରିନ ଆଦି ଦେଶର ସରକାରଙ୍କ ସହ ମିଶି ସେଠାକାର କମ୍ପାନୀ ଗୁଡିକୁ ଭାରତର ତାଲିମ ପ୍ରାପ୍ତ କର୍ମଚାରୀଙ୍କୁ ପଠାଇବାକୁ ଯୋଜନା କରାଯାଇଛି।

ଏସଡିଆଇ ଭୁବନେଶ୍ବର ସଂପ୍ରସାରଣ ପାଇଁ ଆଉ ୩୦-୩୫ ଏକର ଜାଗା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶ୍ବସ୍ତରୀୟ ଡ୍ରାଇଭିଂ ଟ୍ରେନିଂ ଇନଷ୍ଟିଟ୍ୟୁଟ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ପଦକ୍ଷେପ କେବଳ ଯେ ବିଦେଶରେ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ତାନୁହେଁ ଏହା ବିଶ୍ବସ୍ତରୀୟ ମାନବ ସମ୍ବଳ ସୃଷ୍ଟି କରିବାରେ ସକ୍ଷମ ହେବ। ସ୍କିଲ ଡ଼େଭେଲପମେଣ୍ଟ ଇନଷ୍ଟିଟ୍ୟୁଟ ଭୁବନେଶ୍ବର କ୍ୟାମ୍ପସରେ ସ୍କିଲ ଇଣ୍ଡିଆ ଇଣ୍ଟରନ୍ୟାସଲ ସେଣ୍ଟର, ୱାର୍ଲଡ଼ ସ୍କିଲ ଏକାଡେମୀ ଏବଂ ନ୍ୟାସନାଲ ଏକାଡେମୀ ଫର ସ୍କିଲ ଟିଚରର ଶୁଭାରମ୍ଭ ହୋଇଛି।