ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଦେଶର ୧୩ଟି ବିପକ୍ଷ ଦଳର ନେତା ‘ହିଂସା ଓ ଘୃଣା’ ଭାଷଣକୁ ନେଇ ନିକଟରେ ଘଟିଥିବା ଘଟଣାକୁ କେନ୍ଦ୍ର କରି ସରକାରଙ୍କୁ ଘେରିଛନ୍ତି । ଉକ୍ତ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୁପ ରହିବା ଆମକୁ ଚକିତ କରୁଛି ବୋଲି ବିରୋଧୀ ଦଳ କହିଛନ୍ତି ।
ଦେଶର ଅନେକ ରାଜ୍ୟରେ ନିକଟରେ ସାମ୍ନାକୁ ଆସିଥିବା ସାମ୍ପ୍ରଦାୟିକ ଘଟଣା ଉପରେ ଅନେକ ପାର୍ଟିର ରାଜନେତା ସମାନ ବୟାନ ଜାରି କରିଛନ୍ତି । ସୋନିଆ ଗାନ୍ଧୀ, ଶରଦ ପାୱାର, ମମତା ବାନାର୍ଜୀ, ଏମକେ ଷ୍ଟାଲିନ, ହେମନ୍ତ ସୋରେନ ଓ ତେଜସ୍ୱୀ ଯାଦବ ପ୍ରମୁଖ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି ।
ଉକ୍ତ ବୟାନରେ କୁହାଯାଇଛି ଯେ, ଖାଦ୍ୟପେୟ, ପୋଷାକ, ବିଶ୍ୱାସ ଓ ପୂଜା ପାର୍ବଣକୁ ବ୍ୟବହାର କରି ସମାଜକୁ ବାଣ୍ଟିବାକୁ ଚେଷ୍ଟା କରାଯାଉଛି । ଦେଶରେ ବଢ଼ୁଥିବା ଘୃଣା ଭାଷଣକୁ ନେଇ ଆମେ ଚିନ୍ତିତ ଅଛୁ । ଘୃଣା ଭାଷଣ ଦେଉଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉ ନାହିଁ ।