ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ରେ ଗୁରୁବାରଠାରୁ ଭାରତର ଜର୍ମାନୀ ବିପକ୍ଷ ଟାଇ ଆରମ୍ଭ ହୋଇଛି । ପ୍ରଥମ ମୁକାବିଲାରେ ଭାରତ ୩-୦ ଗୋଲ୍ରେ ଜର୍ମାନୀକୁ ପରାସ୍ତ କରି ତା’ର ବିଜୟ ଧାରାକୁ ଜାରି ରଖିଛି । ପ୍ରତିଯୋଗିତାରେ ଭାରତ ତା’ର ଷଷ୍ଠ ବିଜୟ ହାସଲ କରିବା ସହ ୨୧ ପଏଣ୍ଟ୍ ସହ ଟେବଲ୍ରେ ଶୀର୍ଷ ସ୍ଥାନ କାଏମ ରଖିଛି । ଅନ୍ୟପକ୍ଷରେ ଦ୍ୱିତୀୟ ପରାଜୟ ସହ ଜର୍ମାନୀ ୧୭ ପଏଣ୍ଟ୍ ପାଇ ଟେବଲ୍ରେ ଦ୍ୱିତୀୟ ସ୍ଥାନରେ ରହିଛି । ଗୁରୁବାର ମ୍ୟାଚ୍ରେ ଭାରତ ପକ୍ଷରୁ ପେନାଲ୍ଟି କର୍ଣ୍ଣର୍ ସ୍ପେଶାଲିଷ୍ଟ୍ ତଥା ପ୍ରମୁଖ ଡ୍ରାଗ୍ଫ୍ଲିକର୍ ହରମନ୍ପ୍ରୀତ୍ ସିଂହ ଡବଲ୍ ଗୋଲ୍ ଦେଇଥିବା ବେଳେ ଅନ୍ୟ ଗୋଲ୍ଟି ଅଭିଷେକ ସ୍କୋର୍ କରିଥିଲେ ।
ପ୍ରଥମ କ୍ୱାର୍ଟର୍ରେ ଭାରତ ଗୋଟିଏ ପେନାଲ୍ଟି କର୍ଣ୍ଣର୍ ପାଇଥିଲେ ହେଁ ଯୁଗରାଜ ସିଂହ ଏହାର ଫାଇଦା ଉଠାଇବାରେ ବିଫଳ ହୋଇଥିଲେ । ଏହି ୧୫ ମିନିଟ୍ ଖେଳରେ ଅଧିକାଂଶ ସମୟ ବଲ୍ ଭାରତୀୟ ଖେଳାଳିଙ୍କ କବ୍ଜାରେ ରହିଥିଲା । କିନ୍ତୁ ଭାରତ କୌଣସି ଗୋଲ୍ ଅର୍ଜନ କରିବାରେ ସକ୍ଷମ ହୋଇ ନ ଥିଲା । ଦ୍ୱିତୀୟାର୍ଦ୍ଧରେ ଭାରତକୁ ସପ୍ତଦଶ ମିନିଟ୍ରେ ଆଉ ଏକ ପେନାଲ୍ଟି କର୍ଣ୍ଣର୍ ମିଳିଥିବା ବେଳେ ଏଥର ଉପଅଧିନାୟକ ହରମନପ୍ରୀତ୍ କୌଣସି ଭୁଲ୍ କରି ନ ଥିଲେ । ସେ ଗୋଲ୍ ଦେଇ ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ । ଏହାପରେ ଭାରତକୁ ରେଫରାଲ୍ ମାଧ୍ୟମରେ ଏକ ପେନାଲ୍ଟି କର୍ଣ୍ଣର୍ ମିଳିଥିଲା । ତେବେ ଏଥର ହରମନ୍ପ୍ରୀତ୍ଙ୍କ ଶଟ୍କୁ ଜର୍ମାନ୍ ଗୋଲକିପର୍ ଆଲେକ୍ଜାଣ୍ଡର୍ ଷ୍ଟାଡଲର୍ ରୋକିବାରେ ସଫଳ ହୋଇଥିଲେ । କିନ୍ତୁ ୨୬ତମ ମିନିଟ୍ରେ ହରମନ୍ପ୍ରୀତ୍ଙ୍କ ପେନାଲ୍ଟି କର୍ଣ୍ଣର୍ ଶଟ୍କୁ ରୋକିବାରେ ଅକ୍ଷମ ହୋଇଥିଲେ ଷ୍ଟାଡଲର୍ । ଫଳସ୍ୱରୂପ ଭାରତ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ୨-୦ରେ ଅଗ୍ରଣୀ ଲାଭ କରିଥିଲା ।
ଏହି ୩୦ ମିନିଟ୍ରେ ଭାରତକୁ ୪ଟି ପେନାଲ୍ଟି କର୍ଣ୍ଣର୍ ମିଳିଥିବା ବେଳେ ଭାରତ ସେଥିରୁ ୨ଟି ଗୋଲ୍ ଅର୍ଜନ କରିପାରିଥିଲା । ତୃତୀୟ କ୍ୱାର୍ଟର୍ରେ ଭାରତୀୟ ଖେଳାଳିମାନେ ବେଶ୍ ଦମ୍ଦାର ପ୍ରଦର୍ଶନ କରିଥିଲେ । ୨-୦ର ଅଗ୍ରଣୀ ସେମାନଙ୍କୁ ବେଶ୍ ମୁକ୍ତ ଭାବେ ଖେଳିବାକୁ ସୁଯୋଗ ଦେଇଥିଲା । ଅନ୍ୟପକ୍ଷରେ ଗୋଲ୍ ଶୁଝିବା ସକାଶେ ଜର୍ମାନୀର ଯୁବ ଟିମ୍ ଭରପୂର ପ୍ରୟାସ କରିଥିଲେ ମଧ୍ୟ ଭାରତୀୟ ରକ୍ଷଣପନ୍ଥୀ ଖେଳାଳି ସେପରି କୌଣସି ସୁଯୋଗ ଦେଇ ନ ଥିଲେ । ଅଧିକନ୍ତୁ ଏହି କ୍ୱାର୍ଟର୍ର ଶେଷ ମିନିଟ୍ରେ ଅର୍ଥାତ୍ ମ୍ୟାଚ୍ର ୪୫ତମ ମିନିଟ୍ରେ ଅଭିଷେକ ତୃତୀୟ ଗୋଲ୍ ଦେଇଥିଲେ । ସେ ପେନାଲ୍ଟି କର୍ଣ୍ଣର୍ରେ ବଲ୍ ପୁଶ୍ କରିବା ପରେ ହରମନ୍ପ୍ରୀତ୍ ପୁଣିଥରେ ତାଙ୍କୁ ପାସ୍ ଦେଇଥିଲେ ।
ଅଭିଷେକ କୌଣସି ତ୍ରୁଟି ନ କରି ବଲ୍କୁ ସିଧାସଳଖ ଗୋଲ୍ପୋଷ୍ଟ୍ ଭିତରେ ପ୍ରବେଶ କରାଇ ଭାରତର ଅଗ୍ରଣୀକୁ ୩-୦ରେ ପହଞ୍ଚାଇଥିଲେ । ଶେଷ ୧୫ ମିନିଟ୍ ଖେଳରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର୍ ମିଳିଥିଲେ ମଧ୍ୟ ଏଥର ଷ୍ଟାଡଲର୍ ସଶକ୍ତ ସାବ୍ୟସ୍ତ ହୋଇଥିଲେ । ଜର୍ମାନୀ କୌଣସି ଗୋଲ୍ କରି ନ ପାରିବା ଫଳରେ ଭାରତ ବେଶ୍ ସହଜରେ ବିଜୟୀ ହୋଇଥିଲା ।