ବଲାଙ୍ଗିର,ଏନ୍ଏନ୍ଏସ୍: ଓଡ଼ିଶାରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନ ପାଇଁ ଆଜି ଆମ ଆଦମୀ ପାର୍ଟି ତରଫରୁ ସ୍ଥାନୀୟ ଯାଦବ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟିର ଜିଲ୍ଲା କନଭେନର ଆଶିଷ ପାଣ୍ଡେ ଯୋଗଦେଇ କହିଛନ୍ତି ଯେ, ପୂର୍ବରୁ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନକୁ ରୂପରେଖ ଦେବା ପାଇଁ ଆପ ଓଡ଼ିଶା ତରଫରୁ ପାର୍ଟିର କମକର୍ତ୍ତାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା । ଏହି ବୈଠକରେ ବିଜୁଳି ଆନ୍ଦୋଳନକୁ ପ୍ରାୟ ୨୫ ଲକ୍ଷ ଲୋକଙ୍କ ଘରେ ପହଞ୍ଚାଇବା ପାଇଁ ଆଲୋଚନା କରାଯାଇଥିଲା ଏବଂ ପ୍ରତ୍ୟେକ ପରିବାରଙ୍କୁ ୨୦୦ ୟୁନିଟ ମାଗଣା ବିଜୁଳି ଦିଆଯିବା ଦାବୀ ନେଇ ଘରକୁ ଘର ଯାଇ ୨ମାସ ଧରି ଦସ୍ତଖତ ଅଭିଯାନ କରାଯିବ । ପରେ ଉକ୍ତ ସଂଗୃହୀତ ଦାବୀପତ୍ର ସହିତ ଭୁବନେଶ୍ୱରକୁ ଯାଇ ନବୀନ ନିବାସ ଘେରାଉ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦିଆଯିବ ।
ଶ୍ରୀ ପାଣ୍ଡେ ଆହୁରି କହିଛନ୍ତି ଯେ, ଆପ ଶାସିତ ଦିଲ୍ଲୀ ଏକ ବିଦ୍ୟୁତ ଉତ୍ପାଦନକାରୀ ରାଜ୍ୟ ନହୋଇ ମଧ୍ୟ ଦିଲ୍ଲୀର ବିଦ୍ୟୁତ ଉପଭୋକ୍ତାଙ୍କୁ ୨୦୦ ୟୁନିଟ ବିଜୁଳି ମାଗଣାରେ ଦିଆଯାଉଛି । ତେବେ ଏହାକୁ ନେଇ ନବୀନ ନିବାସ ଘେରାଉ ସମୟରେ ଦିଲ୍ଲୀ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି ତାହା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବୁ ।