ନୂଆଦିଲ୍ଲୀ,ଏଜେନ୍ସି: ଇମ୍ରାନ ଖାନ କ୍ଷମତାରୁ ଯିବା ପରେ ପାକିସ୍ତାନରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ବାନି ଗାଲାସ୍ଥିତ ଇମ୍ରାନ ଖାନଙ୍କ ବାସଭବନରେ କୋର କମିଟିର ଏକ ବୈଠକ ଆସନ୍ତା କାଲି ଡକାଯାଇଛି।
ପିଟିଆଇ ଦ୍ୱାରା ପ୍ରଧାନମନ୍ତ୍ରୀ ପଦ ପାଇଁ ଶାହ ମେହମୁଦ କୁରେଶୀଙ୍କୁ ନୂଆ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ଅନ୍ୟପକ୍ଷରେ ୟୁନାଇଟେଡ୍ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଶାହବାଜ ସରିଫଙ୍କ ନାମାଙ୍କନପତ୍ର ମଧ୍ୟ ସଂସଦରେ ଦାଖଲ କରାଯାଇଛି।
ସଂସଦ ସୋମବାର ଦିନ ୨ ଟାରେ ବସିବ ଯାହାଦ୍ୱାରା ନୂତନ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବ। ଯାହା ଆଶା କରାଯାଉଛି ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ହେବେ। କିନ୍ତୁ ଏସବୁ ମଧ୍ୟରେ ଶାହବାଜ ସରିଫଙ୍କୁ ଏକ ଝଟକା ଲାଗିଛି।
ଯାହା ସୁଚନା ମିଳିଛି ଆସନ୍ତାକାଲି ମନି ଲଣ୍ଡରିଂ ମାମଲାରେ ଶାହବାଜ ସରିଫଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ। ସୋମବାର ତାଙ୍କ ପୁଅ ହାମଜା ସରିଫଙ୍କ ସହ ତାଙ୍କୁ ଲାହୋର ହାଇକୋର୍ଟକୁ ଡକାଯାଇଛି।ଗୋଟିଏ ପଟେ ଶାହବାଜ ସରିଫ ସଂସଦରେ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବେ ଓ ଅନ୍ୟପକ୍ଷରେ ଅର୍ଥ ହେରଫେର ମାମଲାରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମଧ୍ୟ ସ୍ଥିର କରାଯିବ।