ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ସାମ୍ବାଦିକଙ୍କ ଉପରେ ବଢୁଥିବା ଅତ୍ୟାଚାର ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ସଭାପତି ଗୋରେଖ ନାଥ ସାହୁଙ୍କ ନେତୃତ୍ବରେ ସାମ୍ବାଦିକମାନେ ସହରର ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଆଗରେ ନିଜର କ୍ଷୋଭ ପ୍ରକାଶ କରିବା ସହିତ ନାରାବାଜି କରି ଦାବି ଉପସ୍ଥାପନ କରିଛନ୍ତି। ଗତ ୨୧ ତାରିଖରେ ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ନୀଳଗିରି ପୁଲିସ ଜୁଲୁମ କରିବା ସହିତ ଗୋଡରେ ବେଡି ପକାଇବା ଘଟଣା ସାମ୍ବାଦିକ ମାନଙ୍କୁ ଆନ୍ଦୋଳିତ କରିଛି।
ପୁଲିସର ଏହି ଅମାନବୀୟ କାର୍ୟ୍ୟକୁ ସଂଘ ପକ୍ଷରୁ ନିନ୍ଦା କରିବା ସହିତ ରାଜ୍ୟ ସରକାରଙ୍କ ପାଖରେ ସାମ୍ବାଦିକ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଦାବି କରାଯାଇଛି। ଏକ ସୁସ୍ଥ ସମାଜ ଗଠନ ଉଦ୍ଦେଶ୍ୟରେ ସାମ୍ବାଦିକ ମାନେ କାର୍ୟ୍ୟ କରୁଥିବା ବେଳେ ପୁଲିସ ନିଜ କ୍ଷମତାର ଅପବ୍ୟବହାର କରି ସାମ୍ବାଦିକ ମାନଙ୍କୁ ମାନସିକ ଓ ଶାରିରୀକ ନିର୍ୟ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ତେବେ ପୁଲିସ ଭୟରେ ସାମ୍ବାଦିକ ମାନେ ନିରପେକ୍ଷ ଭାବେ କାର୍ୟ୍ୟ କରି ପାରୁ ନଥିବା ଅଭିଯୋଗ ହୋଇଛି। ନୀଳଗିରି ପୁଲିସ ଆଇଆଇସି ଦ୍ରୋପଦୀ ଦାସ ଓ ତଦନ୍ତକାରୀ ଅଫିସର ସୁବର୍ଣ୍ଣ ବେହେରାଙ୍କୁ ବଦଳି ନୂହେଁ କାର୍ୟ୍ୟରୁ ଅନ୍ତର କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି।