ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ ରବିବାରଠାରୁ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତଙ୍କୁ କୋଭିଡ୍ ଟିକାର ବୁଷ୍ଟର ଡୋଜ୍ ଦିଆଯିବ। ଏହାର ଦିନକ ପୂର୍ବରୁ ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ କୋଭିଶିଲ୍ଡ ଓ କୋଭାସ୍କିନ୍ ଦର ହ୍ରାସ ପାଇଛି। ଏବେ ଉଭୟ ଟିକା ୨୨୫ ଟଙ୍କାରେ ଉପଲବ୍ଧ ହେବ।
କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ସିରମ୍ ଇନ୍ଷ୍ଟିଚ୍ୟୁଟ୍ କୋଭିଶିଲ୍ଡ ଦାମ୍ ୬୦୦ ଟଙ୍କାରୁ ୨୨୫ ଟଙ୍କାକୁ ହ୍ରାସ କରିବାକୁ ରାଜି ହୋଇଥିବାବେଳେ ଭାରତ ବାୟୋଟେକ୍ କୋଭାସ୍କିନ୍ ଦାମ୍ ୧୨୦୦ ଟଙ୍କାରୁ ୨୨୫ ଟଙ୍କାକୁ ହ୍ରାସ କରିଛି। ସିରମ୍ ଇନ୍ଷ୍ଟିଚ୍ୟୁଟ୍ ସିଇଓ ଅଦାର ପୁନାୱାଲା ଏବଂ ଭାରତ ବାୟୋଟେକ୍ ସହପ୍ରତିଷ୍ଠାତା ସୁଚିତ୍ର ଏଲା ଟୁଇଟର ଯୋଗେ ଏହା ଘୋଷଣା କରିଛନ୍ତି।
କୋଭିଡ୍ ଭାସ୍କିନ୍ର ପ୍ରିକଶନ ଡୋଜ୍ ନେବା ଲାଗି କୋୱିନ୍ ପୋର୍ଟାଲରେ ନାମ ପଞ୍ଜୀକରଣ କରିବା ଆବଶ୍ୟକ ନାହିଁ ବୋଲି କେନ୍ଦ୍ର ସରକାର ଶନିବାର ସ୍ପଷ୍ଟ କରିଛନ୍ତି। ପ୍ରଥମ ଓ ଦ୍ୱିତୀୟ ଡୋଜ୍ ନେବା ପାଇଁ ପଞ୍ଜୀକରଣ ଆବଶ୍ୟକ ହେଉଥିଲା। ସମସ୍ତ ହିତାଧିକାରୀଙ୍କ ନାଁ କୋୱିନ୍ରେ ପଞ୍ଜୀକୃତ ହୋଇସାରିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି।
୧୮ରୁ ୫୯ ବର୍ଷ ବୟସ ବର୍ଗଙ୍କ ଲାଗି ବୁଷ୍ଟର ଡୋଜ୍ ଘରୋଇ ଟିକାକେନ୍ଦ୍ରଗୁଡ଼ିକରେ ଉପଲବ୍ଧ ହେବ। ଟିକା ଦାମ୍ ସହ ଘରୋଇ ହସ୍ପିଟାଲ ସର୍ବାଧିକ ୧୫୦ ଟଙ୍କା ସେବା ଟିକସ ନେଇପାରିବେ। ସ୍ୱାସ୍ଥ୍ୟ କର୍ମଚାରୀ , ସମ୍ମୁଖ ଯୋଦ୍ଧା ଏବଂ ୬୦ ବର୍ଷ ଓ ତଦୂର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ଏହି ଡୋଜ୍ ସରକାରୀ ହସ୍ପିଟାଲରେ ମାଗଣାରେ ମିଳିବ।