ଯନ୍ତ୍ରଯୁଗ ’୨୨ ହ୍ୟାକାଥନର ବିଜେତା ହେଲେ ଭୁବନେଶ୍ୱରର ଛାତ୍ରଛାତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏସ୍‌ଟିପିଆଇ, ଭୁବନେଶ୍ୱରରେ ଗତ ଏପ୍ରିଲ ୨ ଓ ୩ ତାରିଖରେ ରେଭେରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍ ସହଭାଗିତାରେ ମୁଲ୍ ଇନୋଭେସନ୍ ଲ୍ୟାବ୍‌ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଯନ୍ତ୍ରଯୁଗ ’୨୨’ ଉତ୍କଳ ଦିବସ ହ୍ୟାକାଥନର ଆୟୋଜନ କରାଯାଇଛି। ଏହି ହ୍ୟାକାଥନ ସମୟରେ ଓୟୁଟିଆର୍‌, ଭୁବନେଶ୍ୱରର ଆଶିଷ ମହାପାତ୍ର, ପ୍ରତିକ୍ ଅଗ୍ରୱାଲ ଓ ଆଦ୍ୟାଶା ସାହୁ ଏକ ସ୍ମାର୍ଟ କୋର୍ସ ମ୍ୟାନେଜ୍‌ମେଂଟ୍ ସିଷ୍ଟମ ନିର୍ମାଣ କରିବା ଯୋଗୁଁ ପ୍ରଥମ ସ୍ଥାନ ଅଧିକାର କରିବା ସହ ୫୦,୦୦୦ ଟଙ୍କାର ଏକ ନଗଦ ପୁରସ୍କାର ହାସଲ କରିଛନ୍ତି।

ସେହିପରି ଓୟୁଟିଆର୍‌, ଭୁବନେଶ୍ୱରର ପ୍ରଚେଷ୍ଟା ପାଢି, ମୌସୁମୀ ଦାସ ଓ ଦୀପକ କୁମାର ସାହୁ ୨ୟ ସ୍ଥାନ ଅଧିକାର କରିଛନ୍ତି। ସାଇ ଇଣ୍ଟର୍‌ନ୍ୟାସନାଲ ସ୍କୁଲ୍‌ର ବଂଶିକା ଅଗ୍ରୱାଲ ଓ ସୁନୈନା ସାହୁ ୩ୟ ସ୍ଥାନ ହାସଲ କରିଛନ୍ତି। ଏହି ହ୍ୟାକାଥନକୁ ରିଭେରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍‌ର ସହ-ପ୍ରତିଷ୍ଠାତା ଓ ସିଇଓ ଅରବିନ୍ଦ ପାଣି ଉଦ୍‌ଘାଟନ କରିଛନ୍ତି।

ଏହି ହ୍ୟାକାଥନରେ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ହ୍ୟାକାଥନ ପାଇଁ ଆବେଦନ କରିଥିବା ୩୮ଟି ଟିମ୍ ମଧ୍ୟରୁ ୧୮ଟି ଟିମ୍‌କୁ ହ୍ୟାକାଥନରେ ଅଂଶଗ୍ରହଣ କରିବା ପାଇଁ ଚୟନ କରାଯାଇଥିଲା। ଏହା ହେଉଛି ଏକ ଡିଜିଟାଲ ଓଡିଶାର ମୂଳଦୁଆ ପକାଇବା ପାଇଁ ଲୋକ, ସେମାନଙ୍କ ବିଚାରଧାରା ଓ ଟେକ୍ନୋଲୋଜିର ସହଭାଗିତାର ଏକ ପ୍ଲାଟ୍‌ଫର୍ମ। କେବଳ ୩ଟି ଦଳ ପୁରସ୍କାର ଜିତିଥିବା ବେଳେ, ସମସ୍ତ ଅଂଶଗ୍ରହଣକାରୀ ଦଳଗୁଡିକ ଖୁବ୍ କମ୍ ସମୟାବଧିରେ ‘ବିଲ୍ଡ ଫର୍ ଓଡିଶା’ ଓ ‘ବିଲ୍ଡ ଫ୍ରମ୍ ଓଡିଶା’ ପ୍ରତି ନିଜର ସର୍ବୋତମ ଚେଷ୍ଟା କରିଛନ୍ତି।”