ପୃଥକ କୋସଲ ରାଜ୍ୟ ଦାବିରେ ଏପ୍ରିଲ ପହିଲାକୁ କଳା ଦିବସ ରୂପେ ପାଳନ କଲା କୋସଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର କୋସଲ ରାଜ୍ୟ ସମନ୍ୱୟ ସମିତି ଏପ୍ରିଲ ୧କୁ କଳା ଦିବସ ରୂପେ ପାଳନ କରିଛି। ଶୁକ୍ରବାର ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲାପାଳ ସମ୍ମୁଖରେ କୋସଲବାଦୀ ନେତାମାନେ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରା କରିଥିଲେ। ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜୀ କରିବା ସହ କୁଶପୁତ୍ତଳିକା ଦାହ କରି ଓଡିଶା ରାଜ୍ୟ ମାନଚିତ୍ରରୁ କୋସଳାଞ୍ଚଳକୁ ପୃଥକ କରାଯାଇଥିଲା। ସେହିପରି ବନ୍ଦେ ଉତ୍କଳ ଜନନୀ ସଂଗୀତ କ୍ୟାସେଟକୁ ଭାଙ୍ଗି ଜାତୀୟ ସଂଗୀତ ଗାନ ସପକ୍ଷରେ ଶ୍ଲୋଗାନ ଦିଆଯାଇଥିଲା।

କୋସଲ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର କଳା ପତାକା ଉତ୍ତୋଳନ କରି ନିଜ ବକ୍ତବ୍ୟରେ କହିଥିଲେ ଯେ, ୧୯୩୬ ଓ ୧୯୪୮ ମସିହାରେ ଦୁଇଟି ପର୍ଯ୍ୟାୟରେ କାହାରି ସ୍ୱିକୃତି ନନେଇ ଜୋର ଜବରଦସ୍ତି କୋଶଳକୁ ଓଡିଶାରେ ମିଶ୍ରଣ କରାଯାଇଥିଲା। ତା’ପରେ ସମୃଦ୍ଧ ଥିବା କୋଶଳାଞ୍ଚଳ ଧୀରେ ଧୀରେ ଅବନ୍ନତି ଆଡକୁ ଅଗ୍ରସର ହୋଇଥିଲା। ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କ କୁଠାରଘାତ ଆମକୁ ଅସହ୍ୟ ହେଲାଣି ବୋଲି କହିବା ସହ ଆଗାମୀ ଦିନରେ ପୃଥକ ରାଜ୍ୟ ଦାବି ଆନ୍ଦୋଳନ ତିବ୍ରତର ହେବ ବୋଲି ଶ୍ରୀ ମିଶ୍ର କହିଥିଲେ। ତା’ ଛଡା ଆଗାମୀ ଦିନରେ କୋସଳାଞ୍ଚଳରେ ଥିବା ସମସ୍ତ ବିଦ୍ୟାଳୟମାନଙ୍କରେ ବନ୍ଦେ ଉତ୍କଳ ଜନନୀ ବଦଳରେ ଜାତୀୟ ସଂଗୀତ ଗାନ କରିବା ପାଇଁ ପ୍ରବର୍ତ୍ତା ଯିବ ବୋଲି ସମିତି କହିଛି।

ଏହି ସମାବେଶରେ ସମିତିର ଯୁବ ସଭାପତି ରିଲୁ ରଥଙ୍କ ଆବାହକତ୍ୱ ଓ ବିକ୍ରମ ବହିଦାର ସଭାପତିତ୍ୱରେ କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର, ମନୋରଂଜନ ସାହୁ, ବିଭୁଦତ୍ତ ମିଶ୍ର, ରବି ମିଶ୍ର, ରଣରାଜ ସିଂଦେଓ, ବିଭୂତି ବିନ୍ଧାଣୀ, ଜ୍ୟୋତି ମହାନ୍ତି, ଡୋଳାମଣି ପ୍ରଧାନ, ସ୍ୱାଧୀନ ମିଶ୍ର, କପିଳେଶ୍ୱର ଖମାରୀ ପ୍ରତିବାଦ ସଭା ହୋଇଥିଲା। ଆଲୋଚନାରେ ଅଂଶଗ୍ରହଣ କରି ସରକାରଙ୍କ ବୈମାତୃକ ଭାବ ପ୍ରଦର୍ଶନ ଉପରେ ପ୍ରତିକ୍ରିୟା କରି ଅଲଗ ରାଜ୍ୟ ଆନ୍ଦୋଳନରେ ସମସ୍ତ ସାମିଲ ହେବା ପାଇଁ ଅନୁରୋଧ କରିଥିଲେ। ଶେଷରେ ବିନୋଦ କୁମାର କାଲସାଏ ଧନ୍ୟବାଦ ଅର୍ପଣ କରିଥିଲେ।