ରାଜ୍ୟପାଳ ଗଣେଶୀ ଲାଲ କଣ୍ଠଦାନ କରିଥିବା ସଂଗୀତ ‘ଉତ୍କଳ ଜନନୀ’ର ଉନ୍ମୋଚନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉତ୍କଳ ଜନନୀଙ୍କ ଆରାଧନାରେ ପ୍ରସ୍ତୁତ କରାଯାଇଥିବା ଅଡ଼ିଓ/ଭିଡ଼ିଓ ସଂଗୀତ ‘ଉତ୍କଳ ଜନନୀ’ର ଉନ୍ମୋଚନ ଓ ଲୋକାର୍ପଣ ଅବସରରେ ରାଜ୍ୟପାଳ ଗଣେଶୀ ଲାଲ ଏଥିରେ କଣ୍ଠଦାନ କରିବାର ଆନନ୍ଦ, ଆତ୍ମସନ୍ତୋଷ ଓ ସୁଖଦ ଅନୁଭୂତିକୁ ଅନନ୍ୟ ଦର୍ଶାଇ ଏହାକୁ ନିଜର ସଂପୂର୍ଣ୍ଣ ଜୀବନର ସ୍ମରଣୀୟ ମୁହୂର ବୋଲି ଅଭିହିତ କରିଛନ୍ତି।

ଆଜି ପବିତ୍ର ଉତ୍କଳ ଦିବସରେ ରାଜଭବନର ଅଭିଷେକ ହଲ୍‌ରେ ‘ଉତ୍କଳ ଜନନୀ’ ସଂଗୀତର ଉନ୍ମୋଚନ ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲଙ୍କ ସହିତ ଏହି ଉତ୍ସବର ନିମନ୍ତ୍ରିତ ଅତିଥୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ଅନ୍ୟ ନିମନ୍ତ୍ରିତ ଅତିଥୁ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର, ପ୍ରଖ୍ୟାତ ବଂଶୀବାଦକ ପଦ୍ମବିଭୂଷଣ ପଣ୍ଡିତ ଡ. ହରିପ୍ରସାଦ ଚଉରା ସିଆ, ସଂଗୀତ ନିର୍ଦ୍ଦେଶକ ଶ୍ରୀ ପ୍ରେମ ଆନନ୍ଦଙ୍କ ଉପସ୍ଥିତିରେ ଏହି ସଂଗୀତର ଲୋକାର୍ପଣ କରାଯାଇଥିଲା।

ନିଜର ଅଭିଭାଷଣରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଏହି ପ୍ରୟାସ ତାଙ୍କୁ ବେଶ୍ ପ୍ରଭାବିତ କରିଛି ଓ ଓଡ଼ିଶାର ମାଟି, ପାଣି, ପବନକୁ ତାଙ୍କର ଭଲପାଇବାକୁ ଦର୍ଶାଉଛି ବୋଲି କହିଥିଲେ। ଓଡ଼ିଶାର ଆତ୍ମା ଭିତରେ ରାଜ୍ୟପାଳ ଗଣେଶୀ ଲାଲ ପ୍ରବେଶ କରିଛନ୍ତି ବୋଲି ମଧ୍ୟ କହିଥିଲେ। ଶ୍ରୀ ହରିଚନ୍ଦନ ଓଡ଼ିଶାର ବୀର ସଂଗ୍ରାମୀ ଏବଂ ଓଡ଼ିଶା ଗଠନର ପୁରୋଧାମାନଙ୍କୁ ସ୍ମରଣ କରିବା ସହିତ ନିଜ ମଧ୍ୟରେ ସେହି ଅତୀତର ଗୌରବଗାଥାକୁ ମନେ ପକାଇ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦେଇଥିଲେ ଓ ଆଜିର ଦିନ ଏହି ସଂକଳ୍ପ ସମସ୍ତଙ୍କୁ ଜାଗ୍ରତ କରିବ ବୋଲି କହିଥିଲେ।

ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ରାଜ୍ୟପାଳଙ୍କ ଭାବବିହ୍ଵଳିତ କଣ୍ଠ ‘ଉତ୍କଳ ଜନନୀ’ ସଂଗୀତର ମାନ ବୃଦ୍ଧି କରିଛି ଓ ରାଜ୍ୟପାଳଙ୍କର ଏହି ପ୍ରୟାସରେ ସେ ଅଭିଭୂତ ବୋଲି କହିଥିଲେ। ରାଜ୍ୟର ସମସ୍ତ ବିଧାୟକ, ବିଶ୍ଵର କୋଣ-ଅନୁକୋଣରେ ଥିବା ଓଡ଼ିଆଙ୍କ ପକ୍ଷରୁ ସେ ରାଜ୍ୟପାଳଙ୍କ ଶୁଭକାମନା ଜଣାଇଥିଲେ।

ପ୍ରଖ୍ୟାତ ବଂଶୀବାଦକ ପଣ୍ଡିତ ଡ. ହରିପ୍ରସାଦ ଚଉରାସିଆ ଏପରି ଏକ ସୁନ୍ଦର ସଂଗୀତ ପ୍ରସ୍ତୁତ କରାଯାଇଥିବାରୁ ସମସ୍ତଙ୍କୁ ବିଶେଷ କରି ରାଜ୍ୟପାଳଙ୍କ ଭାବପୂର୍ଣ୍ଣ କଣ୍ଠର ପ୍ରଶଂସା କରିଥିଲେ ଓ ଏହି ସଂଗୀତରେ ସେ ସାମିଲ ହୋଇଥିଲେ ବହୁତ ଖୁସି ହୋଇଥାନ୍ତେ ବୋଲି ପ୍ରକାଶ କରିଥିଲେ। ରାଜ୍ୟପାଳ ଶ୍ରୀ ଗଣେଶୀ ଲାଇ ଓଡ଼ିଶାର ଜାତୀୟତାକୁ ସଂପୂର୍ଣ୍ଣ ‘ଗ୍ଲୋବାଲ’ ବୋଲି ଦର୍ଶାଇ ଏହାକୁ ଏକ ରାଜ୍ୟ ନୁହେଁ ବରଂ ଏହା କଳା, ସଂସ୍କୃତି, ପରମ୍ପରା, ଇତିହାସ ଏବଂ ସର୍ବୋପରି ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ଭୂମି ଏହାର ସର୍ବୋତ୍ତମ ପରିଚୟ ବୋଲି ପ୍ରକାଶ କରିଥିଲେ। ରାଜ୍ୟପାଳ ସମସ୍ତଙ୍କର ଭଲପାଇବା ତାଙ୍କୁ ପ୍ରଭାବିତ କରିଛି ଓ ଏହାର ଗୁଣଗାନ ପାଇଁ ଏପରି ପ୍ରୟାସ କରିବାକୁ ପ୍ରେରିତ କରିଛି ବୋଲି କହିଥିଲେ। ସଂଗୀତ ନିର୍ଦ୍ଦେଶକ ଶ୍ରୀ ପ୍ରେମ ଆନନ୍ଦ ରାଜ୍ୟପାଳଙ୍କ ସହିତ କାମ କରିବାର ଅନୁଭୂତି ବର୍ଣ୍ଣନା କରିଥିଲେ।

ରାଜ୍ୟପାଳ ଏହି ଅବସରରେ ନିମନ୍ତ୍ରିତ ଅତିଥ୍‌ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବଦ୍ଧିତ କରିଥିଲେ ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ମଧ୍ୟ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଉପହାର ପ୍ରଦାନ କରିଥିଲେ। ରାଜ୍ୟପାଳ ଏହି ସଂଗୀତ ପ୍ରସ୍ତୁତି ପଛରେ ବିଶେଷ ଅବଦାନ ଥୁବା ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ଗୀତିକାର ବିଜୟ ମଲ୍ଲ, ବ୍ୟବସ୍ଥାପକ ରଂଜନ ଶତପଥୀ, କଣ୍ଠଶିଳ୍ପ ହ୍ୟୁମାନ ସାଗର ଓ ଦୀପ୍ତିରେଖା ପାଢ଼ୀ, ସଂଗୀତ ରେକଡ଼ ମାଷ୍ଟର ମିଲନ ଦାସ ଓ ସଂପାଦନା ପାଇଁ ଓମିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।