ରାତିରେ ନିଆଁ, ଦିନରେ ଧୂଆଁ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ପ୍ରଚଣ୍ଡ ଖରାକୁ ଜଙ୍ଗଲ ନିଆଁ । ରାତିରେ ଜଙ୍ଗଲ ନିଆଁ ଦୃଶ୍ୟକୁ ଦିନରେ ଧୂଆଁମୟ ପରିବେଶ ଯୋଗୁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଛନ୍ତି । ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ନିଆଁ ଲାଗିବା ଘଟଣା ବନ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିିଛି । ୪ଲକ୍ଷ ୧୦ହଜାର ୬୯୮ ହେକ୍ଟର ପରିମିତ ଦେବଗଡ଼ ବନଖଣ୍ଡରେ ମୋଟ ୨ଲକ୍ଷ ୨୧ହଜାର ୨୩୬ ହେକ୍ଟର ଜଙ୍ଗଲ ରହିଥିବା ବେଳେ ଦେବଗଡ଼ ଜିଲ୍ଲାର ଦେବଗଡ଼, ରିଆମାଳ, ବାରକୋଟ ଏବଂ ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଓ ଖମାର ମୋଟ ୫ ରେଞ୍ଜରେ ବିଭକ୍ତ କରାଯାଇ ଦେବଗଡ଼ ବନଖଣ୍ଡ ଗଠିତ ହୋଇଛି । ତେବେ ଗତ କିଛିଦିନ ଧରି ବିଭିନ୍ନ ରେଞ୍ଜ ଅଧିନସ୍ଥ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ପ୍ରକୃତି ପ୍ରେମୀଙ୍କୁ ବ୍ୟଥିତ କରିଥିବାବେଳେ ବନାଗ୍ନୀ ରୋକିବାକୁ ବନ ବିଭାଗ ଦିନରାତି ପ୍ରୟାସ ଜାରି ରଖିଛି । ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ପ୍ରଧାନପାଟ, ରମ୍ଭାଦେବୀ, ଝାଡ଼େଶ୍ୱର, ପାଙ୍ଗୁଲି, ଝିଲିପି, କଂସର, କଙ୍କରଖୋଲ, ଗୋଗୁଆ, ପ୍ରଭାସୁଣୀ, ହଦମୁଣ୍ଡା, ଚିଲାଣ୍ଟିଖୋଲ, କନ୍ଦର୍ପ ଓ ଲମ୍ବଡୁରା ସଂରକ୍ଷିତ ଜଙ୍ଗଲ ସମେତ ବିଭିନ୍ନ ଜଙ୍ଗଲରେ ଗତ ଏକ ସପ୍ତାହରୁ ଊର୍‌ଦ୍ଧ୍ୱ ହେବ ଜଙ୍ଗଲ ନିଆଁ କାରଣରୁ ପରିବେଶ ଧୂଆଁମୟ ହୋଇପଡ଼ିଛି । ରାସ୍ତାରେ ଯିବା ଆସିବା ବେଳେ ଆଖି ପୋଡ଼ାଜଳା ହେଉଥିବା ନେଇ ବହୁ ଜନସାଧାରଣ ଅଭିଯୋଗ କରିଛନ୍ତି । ସେହିପରି ଏହି ଧୂଆଁ ପ୍ରଭାବରେ ଜଙ୍ଗଲରେ ରହୁଥିବା ପଶୁପକ୍ଷୀ ଓ ସରୀସୃପ ସହ ବିଭିନ୍ନ ଔଷଧୀୟ ବୃକ୍ଷ ଜଳିପୋଡ଼ି ନଷ୍ଟ ହେଉଛି । ମହୁଲ ଫୁଲ ଗୋଟାଇବା ଉଦ୍ଦେଶ୍ୟରେ ଅନେକ ବ୍ୟକ୍ତି ଜଙ୍ଗଲର ଶୁଖା ପତ୍ର ପୋଡ଼ିବା କାରଣରୁ ଏହି ନିଆଁ ଜଙ୍ଗଲକୁ ବ୍ୟାପୁଥିବା ବେଳେ ଅନେକ ସ୍ଥାନରେ ବନ କର୍ମଚାରୀଙ୍କୁ ଉଦ୍ଦେଶ୍ୟମୂଳକ ହଇରାଣ କରିବା ଲାଗି କେତେକ ଦୁର୍ବୁତ୍ତ ଜଙ୍ଗଲରେ ଅଗ୍ନି ସଂଯୋଗ କରୁଥିବା ଅଭିଯୋଗ ହେଉଛି । ତେବେ ବନାଗ୍ନୀ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍କ୍ୱାର୍ଡ ଗଠନ କରାଯାଇ ପେଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ୬ଟି କଣ୍ଟ୍ରୋଲ ରୁମ ଖୋଲାଯାଇ ପରିସ୍ଥିତି ପ୍ରତି ଦୃଷ୍ଟି ରଖାଯାଇଛି । ୬୦/୭୦ ବ୍ୟକ୍ତିଙ୍କୁ ବନ କର୍ମଚାରୀଙ୍କ ସହ ବନାଗ୍ନୀ ରୋକିବାକୁ ନିୟୋଜିତ କରାଯାଇଛି । ଅନ୍ୟପଟେ ବନଖଣ୍ଡ ପକ୍ଷରୁ କେନ୍ଦୁପତ୍ର ବିଭାଗ, ବନ ଉନ୍ନୟନ ନିଗମ ଓ ଅଗ୍ନିଶମ ବିଭାଗ ସହ ସମନ୍ୱୟ ରଖି ବିଭାଗ ବନାଗ୍ନୀ ରୋକିବାକୁ ଯୋଜନା ପ୍ରସ୍ତୁତ କରିଛି । ବନାଗ୍ନୀ ରୋକିବା ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ଦୁର୍ବୁତ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଉଥିବା ବେଳେ ଗାଁ ଗାଁରେ ପ୍ରଚାର ମାଧ୍ୟମରେ ଜନସଧାରଣଙ୍କୁ ବିଭାଗ ସଚେତନ କରୁଥିବା ବନଖଣ୍ଡ ଅଧିକାରୀ ମଗର ଧନଜୀ ରାଓସୋ ସୂଚନା ଦେଇଛନ୍ତି ।