ଲଖନଉ,ଏଜେନ୍ସି: ଉତ୍ତର ପ୍ରଦେଶରେ ବିଜେପି ସରକାରକୁ ପୂର୍ଣ୍ଣ ବହୁମତ ମିଳିଛି। ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଗତ ୨୫ତାରିଖରେ ରାଜଧାନୀ ଲଖନଉସ୍ଥିତ ଇକାନା ଷ୍ଟାଡିୟମରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଜେପି ଶାସିତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗୀଙ୍କ ବ୍ୟତୀତ ୫୨ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିସାରିଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ମାର୍ଚ୍ଚ ୨୮ରେ ନବନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିବେ। ବିଧାୟକମାନଙ୍କୁ ଅସ୍ଥାୟୀ ବାଚସ୍ପତି ରମାପତି ଶାସ୍ତ୍ରୀ ଶପଥ ଗ୍ରହଣ କରାଇବେ। ବିଧାନସଭାର ସଭା ମଣ୍ଡପରେ ଏହି ଶପଥ ପାଠର ଆୟୋଜନ ହୋଇଛି।
୪୦୩ ବିଧାନସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସର୍ବପ୍ରଥମେ ବିଧାୟକ ଭାବେ ଶପଥ ଗ୍ରହଣ କରିବେ। ଏହା ପରେ ଅନ୍ୟ ବିଧାୟକମାନଙ୍କୁ ଜଣଙ୍କ ପରେ ଜଣେ ଶପଥ ପାଠ କରାଯିବ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯୋଗୀ ଆଦିତ୍ୟନାଥ ପୂର୍ବାହ୍ନ ୧୧ଟାରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ସେ ପୂର୍ବାହ୍ନ ସାଢ଼େ ୧୦ଟାରେ ବିଧାନସଭାରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ।