ସଙ୍କଳ୍ପ ପତ୍ର ପୂରଣ ଲାଗି ଅଧିକାରୀଙ୍କୁ ୩ଟି ଯୋଜନା ମାଗିଲେ ଯୋଗୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶପଥ ଗ୍ରହଣ କରିବା ପରେ ପୁରା ଆକ୍ସନ ମୋଡରେ ନଜର ଆସୁଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହ ହୋଇଥିବା ବୈଠକରେ ୧୦୦ ଦିନ ମଧ୍ୟରେ ୬ ମାସ ତଥା ବାର୍ଷିକ ଲକ୍ଷ୍ୟ ପୂରଣ ଲାଗି ରୋଡ ମ୍ୟାପ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ନିର୍ବାଚନ ସମୟରେ ଜାରି ହୋଇଥିବା ସଙ୍କଳ୍ପ ପତ୍ର ୨୦୨୨ ଯଥାଶୀଘ୍ର ପୂରଣ କରାଯାଇପାରିବ । ଉକ୍ତ କାମକୁ ଦ୍ରୁତ ଗତି ଓ ପାରଦର୍ଶିତା ସହ ପୂର୍ଣ୍ଣ କରିବାକୁ ଯୋଗୀ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାତ ଅଧିକାରୀଙ୍କୁ କହିଛନ୍ତି ଯେ, ଖାଲି ପଡ଼ିଥିବା ବିଭାଗର ଡାଟା ତୁରନ୍ତ ପ୍ରସ୍ତୁତ କରାଯାଉ । ସଙ୍କଳ୍ପ ପତ୍ରକୁ ୩ଟି ରୋଡମ୍ୟାପରେ ପ୍ରସ୍ତୁତ କରାଯିବ । ଯେଉଁ କାମ ଜାରି ରହିଛି ତାକୁ ଠିକ୍ ଭାବେ ପରିଚାଳନା କରାଯାଉ । ୟୁପିର ଅର୍ଥ ବ୍ୟବସ୍ଥାକୁ ୧ ଟ୍ରିଲିୟନ ଡଲାର କରିବା ପାଇଁ ୧୦ ପ୍ରାଥମିକ ସେଣ୍ଟର ଚିହ୍ନଟ କରାଯାଉ ।