ଓଡ଼ିଶାରେ ୪୬ ରେଳଷ୍ଟେସନର ଉନ୍ନତୀକରଣ ଚାଲିଛି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ବର୍ତ୍ତମାନ ୪୬ଟି ରେଳଷ୍ଟେସନରେ ଉନ୍ନତୀକରଣ କାର୍ଯ୍ୟ ଭାରତୀୟ ରେଳବାଇ ପକ୍ଷରୁ ଜାରି ରହିଛି। ଶୁକ୍ରବାର କେନ୍ଦ୍ର ରେଳ ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ଏହି ତଥ୍ୟ ରଖିଛନ୍ତି। ଆର୍ଥିକ ବର୍ଷ ୨୦୨୧-୨୨ରେ ଏସବୁ ରେଳଷ୍ଟେସନଗୁଡ଼ିକରେ ଉନ୍ନତୀକରଣ କାର୍ଯ୍ୟପାଇଁ ଭାରତୀୟ ରେଳବାଇ ୨୯୬ କୋଟି ଟଙ୍କା ପ୍ରଦାନ କରିଛି। ଏସବୁଗୁଡ଼ିକୁ ଆଦର୍ଶ ଷ୍ଟେସନ ଭାବେ ଗଢ଼ିତୋଳିବାକୁ ରେଳବାଇ ଲକ୍ଷ୍ୟ ରଖିଛି। ଏହି ୪୬ ରେଳଷ୍ଟେସନ ଦକ୍ଷିଣ ପୂର୍ବାଞ୍ଚଳ ରେଳପଥ(ଏସଇଆର), ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ (ଏସଇସିଆର) ଓ ପୂର୍ବତଟ ରେଳପଥ (ଇସିଓଆର) ଅଧୀନରେ ଆସୁଛି।

ଦକ୍ଷିଣ ପୂର୍ବାଞ୍ଚଳ ରେଳପଥ ଅଧୀନରେ ଥିବା ଷ୍ଟେସନଗୁଡ଼ିକର ବିକାଶ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୧୪୦ କୋଟି ୧୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଚଳିତ ଫେବୃଆରୀ ସୁଦ୍ଧା ଏଥିମଧ୍ୟରୁ ୮୧ କୋଟି ୮୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ପ୍ରଦାନ ହୋଇଥିବା ୬୭ କୋଟି ୧୫ ଟଙ୍କାରୁ ୫୬ କୋଟି ଖର୍ଚ୍ଚ କରିଥିବା ବେଳେ ପୂର୍ବତଟ ରେଳପଥକୁ ମିଳିଥିବା ୮୯ କୋଟି ଟଙ୍କାରୁ ୫୪ କୋଟି ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରିଛି। ଓଡ଼ିଶାରେ ଥିବା ବିଭିନ୍ନ ରେଳଷ୍ଟେସନର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ୨୦୧୮-୧୯ରେ ୨୩୪ କୋଟି ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।

ଏହି ଅର୍ଥରୁ ଏବେସୁଦ୍ଧା ୧୬୫ କୋଟି ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରିଥିବା କେନ୍ଦ୍ର ମନ୍ତ୍ରୀ ଜଣାଇଛନ୍ତି। ତେବେ ୨୦୧୯-୨୦ ଓ ୨୦୨୦-୨୧ରେ ଓଡ଼ିଶାରେ ରେଳବାଇ ପ୍ରଦତ୍ତ ଟଙ୍କା ଠାରୁ ଅଧିକ ରାଶି ଖର୍ଚ୍ଚ କରିଥିବା ସେ କହିଛନ୍ତି। ୨୦୧୯-୨୦ରେ ୨୨୬ କୋଟି ୬ ଲକ୍ଷ ଟଙ୍କା ମିଳିଥିବା ବେଳେ ଖର୍ଚ୍ଚ ହୋଇଛି ୨୩୨ କୋଟି ୬ ଲକ୍ଷ। ସେହିଭଳି ୨୦୨୦-୨୧ରେ ୩୨୦ କୋଟି ୧୯ ଲକ୍ଷ ଟଙ୍କା ମିଳିଥିବା ବେଳେ ଖର୍ଚ୍ଚ ହୋଇଛି ୩୨୪ କୋଟି ୧ ଲକ୍ଷ ଟଙ୍କା। ରାଜ୍ୟର ଭୁବନେଶ୍ୱର, ପୁରୀ, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ରେଳଷ୍ଟେସନର ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇ ଏଠିକାର ଯାତ୍ରୀଙ୍କୁ ସମସ୍ତ ପ୍ରକାରର ଅଧୁନିକ ସୁବିଧା ଯୋଗାଇଦେବାକୁ ପ୍ରୟାସ ଚାଲିଛି ବୋଲି କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି।