ବିବାହର ୧୫ ଦିନ ପୂର୍ବରୁ ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ଯୁବକ ଓ ଯୁବତୀ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ସରିଥିଲା ନିର୍ବନ୍ଧ ଆଉ କିଛି ଦିନ ପରେ ହୋଇଥାନ୍ତା ବାହାଘର । ହେଲେ ଈଶ୍ୱରଙ୍କୁ ଆଉ କିଛି ମଞ୍ଜୁର ଥିଲା । ସେଥିପାଇଁ ସବୁଦିନ ପାଇଁ ପରସ୍ପରର ହେବା ପୂର୍ବରୁ ଦୁହେଁ ସାଥୀ ହୋଇ ଦୁନିଆ ଛାଡ଼ିଦେଲେ । ଏମିତି ଏକ ଅଘଟଣ ଆଜି ପାଟଣାଗଡ଼ରେ ଘଟିଛି । ଅପରାହ୍ଣ ପ୍ରାୟ ୧ଟା ୩୦ ମିନିଟରେ ସାଲେପାଲି ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କ୍ଷୀରସିନ୍ଧୁ କାଣ୍ଡ(୩୦) ଏବଂ ବୈଶାଳୀ ଭୋଇ(୨୬)ଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଖଡ଼ିଆଳ ସିନାପଲି ଅନ୍ତର୍ଗତ ହାତୀବନ୍ଧା ଗ୍ରାମର କ୍ଷୀରସିନ୍ଧୁ କାଣ୍ଡ ଏବଂ ଖଡ଼ିଆଳ ଠକ୍‌ପାଲି ଗ୍ରାମର ବୈଶାଳୀ ଭୋଇ ଆଜି ଏକ ହିରୋ ପେସନ ପ୍ରୋ ବାଇକରେ ପାଟଣାଗଡ଼ ଜୀବନ ବୀମା କାର୍ଯ୍ୟାଳୟକୁ ଆସୁଥିଲେ । ଏହି ସମୟରେ ଏକ ପିକଅପ୍ ଭ୍ୟାନ୍ ସେମାନଙ୍କୁ ଧକ୍କା ଦେବା ଫଳରେ ଉଭୟେ ରାସ୍ତାକଡ଼କୁ ଛିଟିକି ପଡ଼ିବା ସହ ପ୍ରାଣ ହରାଇଥିଲେ । ଉଭୟଙ୍କ ନିର୍ବନ୍ଧ ସରିଥିବାବେଳେ ଏପ୍ରିଲ ୯ ତାରିଖରେ ବାହାଘର ହୋଇଥାନ୍ତା । ବାହାଘର ପାଇଁ ବୈଶାଳୀଙ୍କ ମା’ଙ୍କ ନାମରେ ଥିବା ଜୀବନ ବୀମା ଅର୍ଥ ସଂଗ୍ରହ ପାଇଁ ସେମାନେ ପାଟଣାଗଡ଼ ଜୀବନ ବୀମା କାର୍ଯ୍ୟାଳୟକୁ ଆସୁଥିବା ବେଳେ ଏହି ଘଟଣା ଘଟିଥିଲା । ଉଭୟଙ୍କ ମୃତଦେହ ପାଟଣାଗଡ଼ ଡାକ୍ତରଖାନାରେ ରଖାଯାଇଥିବାବେଳେ ଆସନ୍ତାକାଲି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ । ଏନେଇ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଲାଇଥିବା ସୂଚନା ଦେଇଛି ।