ବ୍ରିଜ୍ଟାଉନ୍: ଇଂଲଣ୍ଡ୍-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ୍ ମଧ୍ୟ ଡ୍ର’ ମୁହାଁ ହୋଇଛି। ଇଂଲଣ୍ଡର ବିଶାଳ ସ୍କୋର୍ ୫୦୭/୯ ଜବାବରେ ଘରୋଇ ଦଳ ୪୧୧ ରନ୍ କରିଥିଲା। ଇଣ୍ଡିଜ୍ ପାଳିରେ ଅଧିନାୟକ କ୍ରେଗ୍ ବ୍ରାଥ୍ୱେଟ୍ (୧୬୦) ଏବଂ ଜର୍ମାଇନ୍ ବ୍ରାକ୍ଉଡ୍ (୧୦୨) ଶତକ ହାସଲ କରିବା ଉଲ୍ଲେଖନୀୟ ଥିଲା। ପ୍ରାରମ୍ଭିକ ବ୍ୟାଟର୍ ବ୍ରାଥ୍ୱେଟ୍ କିନ୍ତୁ ମାରାଥନ ପାଳି ଖେଳି ୭୧୦ ମିନିଟ୍ ବ୍ୟାଟିଂ କରିବା ଏବଂ ୪୮୯ ବଲ୍ ସମ୍ମୁଖୀନ ହେବା ଇଂଲଣ୍ଡ ପାଇଁ ମୁଖ୍ୟ ପ୍ରତିବଂଧକ ସାଜିଥିଲା।
ଏହା ମଧ୍ୟରେ ସେ ୧୭ଟି ଚୌକା ମାରିଥିଲେ। ଜ୍ୟାକ୍ ଲିଚ୍ ତାଙ୍କ ପାଳିର ଅନ୍ତ ଘଟାଇଥିଲେ। ବ୍ରାଏନ୍ ଲାରାଙ୍କ ଦୁଇ ଦୀର୍ଘତମ ପାଳି (୪୦୦* ରନ୍ ପାଇଁ ୭୭୮ ବଲ୍ ଏବଂ ୩୭୫ ରନ୍ ପାଇଁ ୭୬୬ ବଲ୍) ପଛକୁ ପହଞ୍ଚିଛନ୍ତି ବ୍ରାଥ୍ୱେଟ୍। ଲାରା ମଧ୍ୟ ତାଙ୍କ ଏହି ଦୁଇ ମାରାଥନ ପାଳି ଇଂଲଣ୍ଡ ବିପକ୍ଷରେ ହାସଲ କରିଥିଲେ। ପଞ୍ଚମ ଦିନ ମଧ୍ୟାହ୍ନ ଭୋଜନ ବେଳକୁ ଇଂଲଣ୍ଡ ଦ୍ବିତୀୟ ପାଳିରେ ୬ ୱିକେଟ୍ ହରାଇ ୧୮୫ ରନ୍ କରିଥିବାରୁ ମୋଟ ଉପରେ ୨୮୧ ରନ୍ରେ ଆଗୁଆ ହୋଇଛି।