ସ୍ୱମୀର ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତ ସ୍ୱାମୀ ଅଟକ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ଗୋପପୁର ଗ୍ରାମରେ ଆଜି ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ବେଳେ ପୁଲିସ ତଦନ୍ତରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗୋପପୁର ଗ୍ରାମର ନବୀନ ମହନ୍ତ ଜଣେ ଗାଡିଚାଳକ ଭାବେ କାର୍ଯ୍ୟ କରୁଥିବା ବେଳେ ଘରେ ନିଜ ସ୍ତ୍ରୀ ଥାଉ ଥାଉ ସେ ଲହୁଣୀପଡ଼ା ଅଞ୍ଚଳର ଅନ୍ୟ ଜଣେ ମହିଳାଙ୍କ ସହ ପରକୀୟା ପ୍ରୀତିରେ ଲିପ୍ତ ରହୁଥିଲେ। ଏହାକୁ ନେଇ ସ୍ତ୍ରୀ ଉର୍ମିଳା ମହନ୍ତଙ୍କ ସହ ନବୀନଙ୍କ ବିଭିନ୍ନ ସମୟରେ ପାଟିତୁଣ୍ଡ ହେଉଥିଲା। ଏହି କ୍ରମରେ ଗତକାଲି ରାତିରେ ପୁଣି ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ବେଳେ ଆଜି ସକାଳୁ ଉର୍ମିଳାଙ୍କ ମୃତ ଦେହ ଘରବାଡ଼ି ପଛପଟେ ପାଇଖାନା ନିକଟରେ ପଡ଼ିଥିବା ଦେଖି ନବୀନଙ୍କ ପରିବାର ଲୋକେ ମୃତଦେହକୁ ଉଠାଇ ଏକ ଖଟିଆରେ ଶୁଆଇ ରଖି ବାରକୋଟ ଥାନା ପୁଲିସକୁ ସୂଚନା ଦେଇଥିଲେ।

ସୂଚନା ପାଇ ବାରକୋଟ ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଁଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପ୍ରାଥମିକ ତଦନ୍ତ ବେଳେ ଉର୍ମିଳାଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ରହିଛି କ୍ଷତ ଚିହ୍ନ। ଏହା ଦେଖି ପୁଲିସ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଥିଲା। ଉର୍ମିଳାଙ୍କ ମୃତ୍ୟୁ ଖବର ପାଇ ଉର୍ମିଳାଙ୍କ ଭାଇ ବୁଦ୍ଧଦେବ ମହନ୍ତ ଘଟଣାସ୍ଥଳରେ ପହଞ୍ଚି ନିଜ ଭଉଣୀର ମୃତ୍ୟୁ ଘଟିଥିବା ଦେଖିବା ପରେ ତାଙ୍କ ଭଉଣୀ ଉର୍ମିଳାକୁ ସ୍ୱାମୀ ନବୀନ ଓ ପରିବାର ଲୋକେ ମିଶି ହତ୍ୟା କରିଥିବା ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ବାରକୋଟ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ନବୀନକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ସୂଚନା ମିଳିଛି।