କାନାଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୫ ଭାରତୀୟ ଛାତ୍ର ମୃତ, ୨ ଜଣ ଗୁରୁତର

ଟରୋଣ୍ଟୋ/ନୂଆଦିଲ୍ଲୀ,ଏଜେନ୍ସି: କାନାଡାର ଟରୋଣ୍ଟୋରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଗୁରୁତର ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ଭ୍ୟାନ୍ ଓ ଟ୍ରାକ୍ଟର ଟ୍ରେଲର ମଧ୍ୟରେ ମୁହାଁମୁହିଁ ହେବାରୁ ଦୁର୍ଘଟଣା ଘଟିଛି।

ମୃତକମାନେ ହେଲେ ହରପ୍ରୀତ ସିଂହ, ଜସପିନ୍ଦର ସିଂହ, କରନପାଳ ସିଂହ, ମୋହିତ ଚୌହାର ଓ ପବନ କୁମାର। ଏମାନଙ୍କର ବୟସ ୨୧ରୁ ୨୪ ବର୍ଷ ହେବ। ଭାରତୀୟ ସମୟ ଅନୁସାରେ ଶନିବାର ସକାଳ ୩ଟା ୪୫ରେ ୪୦୧ ନମ୍ବର ଜାତୀୟ ରାଜପଥରେ ଏମାନେ ଦୁର୍ଘଟଣାର ସାମ୍ନା କରିଥିଲେ। ପୁଲିସ ୨ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି

କାନାଡାରେ ଉଚ୍ଚାୟୁକ୍ତ ଅଜୟ ବିସାରିୟା କହିଛନ୍ତି ଯେ, ଏହି ଦୁର୍ଘଟଣା ମାର୍ଚ୍ଚ ୧୩ ତାରିଖରେ ହୋଇଛି। ଟରୋଣ୍ଟୋ ନିକଟରେ ହୋଇଥିବା ଦୁର୍ଘଟଣାରେ ୫ ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ଟରୋଣ୍ଟୋରେ ଭାରତୀୟ କନସୁଲେଟ ଜେନେରାଲଙ୍କ ଟିମ ସାହାଯ୍ୟ ପାଇଁ ମୃତ ଛାତ୍ରମାନଙ୍କର ବନ୍ଧୁଙ୍କ ସହିତ ଯୋଗାଯୋଗ କରୁଛନ୍ତି।