ୱେଲିଂଟନ୍,ଏଜେନ୍ସି: ଏଲିସ୍ ପେରୀ, ତାହଲିଆ ମ୍ୟାକ୍ଗ୍ରାଥ୍ ଓ ଆଶ୍ଲେ ଗାର୍ଡନର୍ଙ୍କ ଅଲ୍ରାଉଣ୍ଡ୍ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ନିଜର ତୃତୀୟ ଲିଗ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ୧୪୧ ରନ୍ରେ ହରାଇ ଚଳିତ ଆଇସିସି ମହିଳା ବିଶ୍ୱକପ୍ର କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ପେରୀ (୬୮) ଓ ମ୍ୟାକ୍ଗ୍ରାଥ୍ (୫୭)ଙ୍କ ଅର୍ଦ୍ଧଶତକ ଏବଂ ଗାର୍ଡନର୍ଙ୍କ ୧୮ ବଲ୍ରେ ୪୮ ରନ୍ର ଇନିଂସ୍ ସହାୟତାରେ ଅଷ୍ଟ୍ରେଲିଆ ଚ୍ୟାଲେଞ୍ଜିଙ୍ଗ୍ ୨୬୯ ରନ୍ର ସ୍କୋର୍ ଛିଡ଼ା କରିଥିଲା। ଜବାବରେ ଅଷ୍ଟ୍ରେଲିଆ ବୋଲର୍ଙ୍କ ଶାଣିତ ଆକ୍ରମଣର ସମ୍ମୁଖୀନ ହୋଇ ନପାରି ନ୍ୟୁଜିଲାଣ୍ଡ ୩୦.୨ ଓଭର୍ରେ ମାତ୍ର ୧୨୮ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ୬ ପଏଣ୍ଟ ସହ ଭାରତକୁ ହଟାଇ ତାଲିକା ଶୀର୍ଷରେ ପହଞ୍ଚିଛି। ଏଲିସ୍ ପେରୀଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା।
୨୭୦ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଆୟୋଜକ ନ୍ୟୁଜିଲାଣ୍ଡର ଆରମ୍ଭ ଖରାପ ଥିଲା। ୧୦.୪ ଓଭର୍ରେ ମାତ୍ର ୩୦ ରନ୍ରେ ୪ଟି ୱିକେଟ୍ର ପତନ ଘଟିଥିଲା। ୨୨ ରନ୍ରେ ପ୍ରଥମ ୱିକେଟ୍ର ପତନ ହୋଇଥିବା ବେଳେ ପରବର୍ତ୍ତୀ ଦୁଇଜଣ ବ୍ୟାଟ୍ସ ମାନ୍ ୨ ରନ୍ ମଧ୍ୟରେ ପ୍ୟାଭିଲିୟନ୍ ଫେରିଥିଲେ। ଆମି ସାଟର୍ଥୱେଟ୍ ୬୭ ବଲ୍ରେ ସର୍ବାଧିକ ୪୪ ରନ୍ କରିଥିବା ବେଳେ ନିମ୍ନକ୍ରମ ବ୍ୟାଟର୍ ଲିଆ ତାହୁହୁଙ୍କ ୨୫ ବଲ୍ରେ ୨୩ ରନ୍ ଦ୍ୱିତୀୟ ସର୍ବାଧିକ ଥିଲା। କାଟେ ମାର୍ଟିନ୍ (୧୯) ଓ ଓପ୍ନର୍ ସୁଜି ବେଟ୍ସ (୧୬) କେବଳ ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ଏକ ଚ୍ୟାଲେଞ୍ଜିଙ୍ଗ୍ ଟାର୍ଗେଟ୍କୁ ପିଛା କରିବାରେ ବିଫଳ ହୋଇଥିଲା।
ଅଷ୍ଟ୍ରେଲିଆ ପକ୍ଷରୁ ଡାର୍ସି ବ୍ରାଉନ୍ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଆମାଣ୍ଡା ଜାଡେ ୱେଲିଂଟନ୍ ଓ ଗାର୍ଡନର୍ ଦୁଇଟି ଲେଖାଏଁ ସଫଳତା ପାଇଥିଲେ। ପେରୀ, ମ୍ୟାକ୍ଗ୍ରାଥ୍ ଓ ମେଗାନ୍ ସଟ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ପ୍ରଥମେ ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆର ଆରମ୍ଭ ମଧ୍ୟ ଭଲନଥିଲା। ଦୁଇ ଓପ୍ନର୍ ରାଚେଲ୍ ହେନ୍ସ (୩୦) ଓ ଆଲିସା ହିଲି (୧୫) ୯.୫ ଓଭର୍ରେ ମାତ୍ର ୩୭ ରନ୍ ଯୋଡ଼ିଥିଲେ ମଧ୍ୟ ଟିମ୍ ୫୪ ରନ୍ରେ ୩ଟି ୱିକେଟ୍ ହରାଇଥିଲା। ତେବେ ପେରୀ ଓ ବେଥ୍ ମୁନି (୩୦) କିଛି ସମୟ ପାଇଁ ଇନିଂସ୍ ସମ୍ଭାଳି ଚତୁର୍ଥ ୱିକେଟ୍ ପାଇଁ ୫୭ ରନ୍ ଯୋଡ଼ିଥିଲେ। ମୁନିଙ୍କ ଆଉଟ୍ ପରେ କ୍ରିଜ୍ରେ ଯୋଗଦେଇଥିବା ମ୍ୟାକ୍ଗ୍ରାଥ୍ଙ୍କ ସହ ପେରୀ ଶତକୀୟ ପାର୍ଟନର୍ଶିପ୍ କରିବା ସହ ଟିମ୍ର ସ୍କୋର୍ ୨୦୦ ରନ୍ ପାର୍ କରାଇଥିଲେ। ଏଲିସ୍ ପେରୀ ଛଅ ଚୌକା ଓ ଗୋଟିଏ ଛକା ସହ ୮୬ ବଲ୍ରୁ ୬୮ ରନ୍ କରିଥିବା ବେଳେ ମ୍ୟାକ୍ଗ୍ରାଥ୍ ୫୬ ବଲ୍ରୁ ଆଠ ଚୌକା ସହାୟତାରେ ୫୭ ରନ୍ କରିଥିଲେ। ଏହାପରେ ଗାର୍ଡନର୍ଙ୍କ ୧୮ ବଲ୍ରେ ୪୮ ରନ୍ର ଇନିଂସ୍ ସହାୟତାରେ ଅଷ୍ଟ୍ରେଲିଆ ସ୍କୋର୍ ୮/୨୬୯ରେ ପହଞ୍ଚିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଲିଆ ତାହୁହୁ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିଲେ।