ଋଷ-ୟୁକ୍ରେନ ଯୁଦ୍ଧ: ୮୦୦ ଭାରତୀୟଙ୍କୁ ଉଦ୍ଧାର କରିଛନ୍ତି ୨୪ ବର୍ଷୀୟ ପାଇଲଟ ମହେଶ୍ବତା

ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଛି ଯୁଦ୍ଧ। ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରି ଚାଲିଛି ଋଷ। ବାରୁଦ ଗନ୍ଧ ଓ ବିସ୍ଫୋରଣର ଶଦ୍ଦରେ ବାଜିରେ ଲାଗିଛି ଜୀବନ। ଏହାରି ଭିତରେ ଜୀବନ ବଞ୍ଚାଇ ସ୍ବଦେଶ ଫେରୁଛନ୍ତି ଅନେକ। ସ୍ବତନ୍ତ୍ର ବିମାନ ଯୋଗେ ନିଜ ଜନ୍ମମାଟିକୁ ଫେରୁଛନ୍ତି ଭାରତୀୟ। ସେମାନଙ୍କୁ ଫେରାଇ ଆଣିବାରେ କେନ୍ଦ୍ର ସରକାରଙ୍କ ଭୂମିକା ତ ରହିଛି ଆଉ ତା ଭିତରେ ଅଧିକ ଭୂମିକା ରହିଛି ପାଇଲଟମାନଙ୍କର।

କୋଲକାତାର ୨୪ ବର୍ଷୀୟ ମହେଶ୍ବତା ଚକ୍ରବର୍ତ୍ତୀ ନାମକ ଜଣେ ପାଇଲଟ ୮୦୦ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ ସୀମାରୁ ସ୍ବଦେଶ ଭେରାଇ ଆଣିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଉପସଭାପତି ପ୍ରିୟଙ୍କା ଶର୍ମା।

ସେ ଏକ ଟ୍ବିଟ କରି କହିଛନ୍ତି, ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ସଭାପତି ତନୁଜା ଚକ୍ରବର୍ତ୍ତୀଙ୍କ ଝିଅ ମହେଶ୍ବତା ଚକ୍ରବର୍ତ୍ତୀ। ଭାରତ ୨୦ ହଜାର ନାଗରିକଙ୍କୁ ଯୁଦ୍ଧକ୍ଷେତ୍ର ୟୁକ୍ରେନରୁ ଅପରେସନ ଗଙ୍ଗା ଜରିଆରେ ସ୍ବଦେଶ ଫେରୁଛନ୍ତି। ଫେବୃଆରୀ ୨୪ରେ ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲା। ଏହା ପରେ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ ହୋଇଥିଲା। ଜଣେ ୨୪ ବର୍ଷୀୟ ଖୁବ କମ ବୟସରେ ମହେଶ୍ବତା ଚକ୍ରବର୍ତ୍ତୀଙ୍କର ଏହି କାର୍ଯ୍ୟରେ ସାମିଲ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଅନେକଙ୍କ ପାଇଁ ପ୍ରେରଣା ନିଶ୍ଚୟ। ମହେଶ୍ବତାଙ୍କ ଏହି ମହାନ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ପ୍ରକାଶ ଥାଉ କି, ଶେଷ ଥର ପାଇଁ ମାର୍ଚ୍ଚ ୧୧ ତାରିଖରେ ଆଉ ୨୪୨ ଭାରତୀୟ ସ୍ବଦେଶ ଫେରିଥିଲେ। ଏହା ପୂର୍ବରୁ ମାର୍ଚ୍ଚ ୮ରେ ସୁମୀରେ ଥିବା ସମସ୍ତ ୬୯୪ ଜଣ ଭାରତୀୟ ପୋଲଟାଭା ଅଭିମୁଖେ ବସ୍‌ ଯୋଗେ ବେଶ ସୁରକ୍ଷିତ ଭାବେ ଭାରତରେ ପହଞ୍ଚିଥିଲେ।