ଯୁଦ୍ଧ ମଧ୍ୟରେ ପୁତିନଙ୍କୁ ‘ନରସଂହାର’ କହିଲେ ଜେଲେନସ୍କିଙ୍କ ପତ୍ନୀ

ନୂଆଦିଲ୍ଲୀ: ୟୁକ୍ରେନର ପ୍ରଥମ ମହିଳା ଅର୍ଥାତ ରାଷ୍ଟ୍ରପତିଙ୍କ ବୋଲୋଦିମିର ଜେଲେନସ୍କିଙ୍କ ପତ୍ନୀ ଔଲେନା ଜେଲେନସ୍କି କ୍ରେମଲିନ ତରଫରୁ ଶିଶୁ ଓ ନାଗରିକଙ୍କୁ କରାଯାଇଥିବା ସାମୂହିକ ହତ୍ୟାକୁ ନିନ୍ଦା କରିଛନ୍ତି । ସେ ଋଷ ଆକ୍ରମଣକୁ ନେଇ ବୈଶ୍ୱିକ ମିଡିଆକୁ ଏକ ଭାବବିହ୍ୱଳ ପତ୍ର ଲେଖିଛନ୍ତି । ଏଥିରେ ସେ ଋଷ ତରଫରୁ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ବିଶ୍ୱାସ କରିବା ଅସମ୍ଭବ ଥିଲା ବୋଲି ଦର୍ଶାଇଛନ୍ତି । ନାଗରିକଙ୍କ ଯନ୍ତ୍ରଣା ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ କରିଛନ୍ତି କାହିଁକି ନା ଋଷ ଆକ୍ରମଣ ଫଳରେ ଅନେକ ଲୋକ ବାସଗୃହ ହରାଇଛନ୍ତି ତ ଆଉ କିଛି ଦେଶ ଛାଡ଼ି ପଡ଼ୋଶୀ ରାଷ୍ଟ୍ରକୁ ପଳାୟନ କରିଛନ୍ତି । ଋଷ ରାଷ୍ଟ୍ରପତି ବ୍ଲାଦମୀର ପୁତିନଙ୍କ ଉପରେ ନରସଂହାରର ଆରୋପ ମଧ୍ୟ ଲଗାଇଛନ୍ତି ।

ପ୍ରଥମ ମହିଳା ଲେଖିଛନ୍ତି ଯେ, ଫେବୃଆରୀ ୨୪ରେ ଆମେ ସମସ୍ତେ ଋଷ ଆକ୍ରମଣ ସହ ନିଦରୁ ଉଠିଲୁ । ଟ୍ୟାଙ୍କ ୟୁକ୍ରେନ ସୀମା ପାର କଲା । ବିମାନ ଆମ ଏୟାବେସରେ ପ୍ରବେଶ କଲା । ମିସାଇଲ ଆମ ସହରକୁ ଘେରିନେଲା । ଋଷ ଏହାକୁ ବିଶେଷ ଅଭିଯାନ କହୁଛି କିନ୍ତୁ ପ୍ରକୃତରେ ଏହା ୟୁକ୍ରେନୀ ନାଗରିକଙ୍କ ହତ୍ୟା । ୟୁକ୍ରେନ ଲୋକ କଦାପି ହାର ମାନିବେନି କି ଅସ୍ତ୍ର ଛାଡ଼ିବେନି ।