ଓଡ଼ିଶା ୱିମେନ୍ସ ଲିଗ୍‌: ସ୍ପୋର୍ଟ୍ସ ଓଡ଼ିଶା ରନର୍ସ, ଓଡ଼ିଶା ପୁଲିସ୍ ଚାମ୍ପିଅନ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚଳିତ ଓଡ଼ିଶା ୱିମେନ୍ସ ଲିଗ୍‌ରେ ଓଡ଼ିଶା ପୁଲିସ୍ ଚାମ୍ପିଅନ୍ ହୋଇଛି। ଏହି ଦଳ ପ୍ରତିଯୋଗିତାରେ ୧୦ଟି ମ୍ୟାଚ୍ ଖେଳି ୯ଟି ବିଜୟ ସହ ୨୮ ପଏଣ୍ଟ୍ ପାଇଁ ପ୍ରଥମ ସ୍ଥାନରେ ରହିଥିବା ବେଳେ ୬ଟି ବିଜୟ ସହ ୨୦ ପଏଣ୍ଟ୍ ପାଇଥିବା ଓଡ଼ିଶା ସ୍ପୋର୍ଟ୍ସ ରନର୍ସଅପ୍ ହୋଇଛି। ଏଥିସହ ଓଡ଼ିଶା ପୁଲିସ୍ ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଆୟୋଜିତ ହେଉଥିବା ଇଣ୍ଡିଆ ୱିମେନ୍ସ ଲିଗ୍ (ଆଇଡବ୍‌ଲ୍ୟୁଏଲ୍‌)ରେ ସାମିଲ୍ ହେବା ସକାଶେ ଯୋଗ୍ୟତା ଲାଭ କରିଛି।

ଶୁକ୍ରବାର ଓଡ଼ିଶା ପୁଲିସ୍ ତା’ର ଶେଷ ମ୍ୟାଚ୍‌ରେ ଓଜିପି କ୍ଲବ୍‌କୁ ୨-୦ରେ ପରାସ୍ତ କରିଛି। କ୍ୟାପିଟାଲ୍ ହାଇସ୍କୁଲ୍ ଗ୍ରାଉଣ୍ଡ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୪୬ତମ ମିନିଟ୍‌ରେ ଜବାମଣି ଟୁଡୁ ଓ ୭୮ତମ ମିନିଟ୍‌ରେ କରିସ୍ମା ଓରାମ୍ ଗୋଲ୍ ଦେଇଥିଲେ। ଏହି ଗ୍ରାଉଣ୍ଡ୍‌ରେ ଖେଳାଯାଇଥିବା ଅନ୍ୟ ମ୍ୟାଚ୍‌ଟିରେ ରାଇଜିଂ ଷ୍ଟୁଡେଣ୍ଟ୍ କ୍ଳବ୍ ୩-୦ ଗୋଲ୍‌ରେ ସାଇ-ଏସ୍‌ଟିସିକୁ ପରାସ୍ତ କରିଛି। ମ୍ୟାଚ୍‌ରେ ୨୭ତମ ଓ ୬୩ତମ ମିନିଟ୍‌ରେ ସୁଭଦ୍ରା ସାହୁ ଏବଂ ୩୭ତମ ମିନିଟ୍‌ରେ ଅମ୍ବ୍ରୁତା ନାୟକ ଗୋଲ୍ ସ୍କୋର୍ କରିଥିଲେ।

ଏହାଛଡ଼ା କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମୁକାବିଲାଟି ୧-୧ରେ ଡ୍ର’ ରହିଛି। ଏହି ମ୍ୟାଚ୍‌ରେ ୪୨ତମ ମିନିଟ୍‌ରେ ପ୍ରତିମା ଓରାମ୍ ଗୋଲ୍ ଦେଇ ସ୍ପୋର୍ଟ୍ସ ଓଡ଼ିଶାକୁ ଅଗ୍ରଣୀ କରାଇଥିଲେ। କିନ୍ତୁ ପରବର୍ତ୍ତୀ ମିନିଟ୍‌ରେ ଦଳର ଖେଳାଳି ସୁବାସିନୀ ସାହା ଆତ୍ମଘାତୀ ଗୋଲ୍ କରିବା ଫଳରେ ସ୍ଥିତି ବରାବର ହୋଇଥିଲା । ପରେ ଆଉ କୌଣସି ଗୋଲ୍ ହୋଇ ନ ଥିଲା।