କଟକ,ଏନ୍ଏନ୍ଏସ୍: ଚଳିତ ରଣ୍ଜୀ ଟ୍ରଫିରେ ଏଲିଟ୍ ଗ୍ରୁପ୍ରେ ସ୍ଥାନ ପାଇଥିବା ଓଡ଼ିଶା ଗୁରୁବାର ତା’ର ତୃତୀୟ ରାଉଣ୍ଡ୍ ମୁକାବିଲା ଆରମ୍ଭ କରିଛି। ଦଳ ସର୍ବାଧିକ ଟାଇଟଲ୍ ହାସଲ କରିଥିବା ମୁମ୍ବାଇ ବିପକ୍ଷରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ପରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ବିନିମୟରେ ୨୫୦ ରନ୍ କରିଛି। ଓପନର ଶାନ୍ତନୁ ମିଶ୍ରଙ୍କ ବଳିଷ୍ଠ ଇନିଂସ ସହାୟତାରେ ଦଳ ଏହି ସ୍ଥାନରେ ପହଞ୍ଚିଛି। ତେବେ ଓଡ଼ିଶାର ସବୁ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚିଥିଲେ ମଧ୍ୟ କେହି ପ୍ରାରମ୍ଭରୁ ବଡ଼ ସ୍କୋର୍ରେ ପରିଣତ କରିପାରିନାହାନ୍ତି। ଅଭିଷେକ ରାଉତ ୩୫ ଓ ରାଜେଶ ମହାନ୍ତି ୧୭ ରନ୍ କରି ଦିନର ଖେଳ ଶେଷ ବେଳକୁ ଅପରାଜିତ ରହିଛନ୍ତି। ପ୍ରତିପକ୍ଷ ମୁମ୍ବାଇ ପକ୍ଷରୁ ମୋହିତ ଅବସ୍ତୀ ଓ ତନୁଶ କୋଟିଆନ୍ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି।
ଓଡ଼ିଶାର ଦୁଇ ଓପନର ଦେବାଶିଷ ସାମନ୍ତରାୟ ଓ ଶାନ୍ତନୁ ୨୩ ରନ୍ ଯୋଡ଼ିବା ପରେ ଦେବାଶିଷ ପ୍ୟାଭିଲିଅନ୍ ଫେରିଥିଲେ। ସେତେବେଳକୁ ଦେବାଶିଷ ୨ଟି ଚୌକା ସହ ୧୦ ରନ୍ କରିଥିଲେ। ପରେ ଅଧିନାୟକ ଶୁଭ୍ରାଂଶୁ ସେନାପତି ୨ଟି ଚୌକା ସହ ୧୩ ରନ୍ କରିଥିବା ବେଳେ ଆଉଟ୍ ହେବାରୁ ଓଡ଼ିଶାକୁ ଦ୍ୱିତୀୟ ଝଟ୍କା ଲାଗିଥିଲା। ତେବେ ତୃତୀୟ ୱିକେଟ୍ରେ ଶାନ୍ତନୁ ଓ ଗୋବିନ୍ଦ ପୋଦ୍ଦାର ୭୪ ରନ୍ ଯୋଡ଼ି ସ୍ଥିତିକୁ ସୁଧାରିନେଇଥିଲେ। ପୋଦ୍ଦାର ୪ଟି ଚୌକା ଓ ଗୋଟିଏ ଛକା ସହ ୩୭ ରନ୍ର ଅବଦାନ ଦେଇଥିଲେ।
ଏହାପରେ ଶାନ୍ତନୁ ଚତୁର୍ଥ ୱିକେଟ୍ରେ ଅଂଶୁମାନ ରଥ ଓ ପଞ୍ଚମ ୱିକେଟ୍ରେ ରାଜେଶ ଧୂପର୍ଙ୍କ ସହ ଯଥାକ୍ରମେ ୩୭ ଓ ୪୧ ରନ୍ ଯୋଡ଼ିଥିଲେ। ସେ ୮୯ ରନ୍ରେ ଆଉଟ୍ ହେବା ପୂର୍ବରୁ ୧୧ଟି ଚୌକା ଲଗାଇସାରିଥିଲେ। ତାଙ୍କ ବିଦାୟ ପରେ ଧୂପର୍ ଓ ଅଭିଷେକ ୩୩ ରନ୍ ଯୋଡ଼ିବା ସହ ଦଳୀୟ ସ୍କୋର୍କୁ ୨ ଶହ ଅତିକ୍ରମ କରାଇଥିଲେ। ଧୂପର୍ ୧୯ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ଅଭିଷେକ ୩ଟି ଚୌକା ଓ ଗୋଟିଏ ଛକା ଏବଂ ରାଜେଶ ୩ଟି ଚୌକା ଲଗାଇଛନ୍ତି। ମୁମ୍ବାଇ ପକ୍ଷରୁ ମୋହିତ ଓ ତନୁଶଙ୍କ ବ୍ୟତୀତ ଧୱଲ୍ କୁଲ୍କର୍ଣ୍ଣି ଓ ସିଦ୍ଧାର୍ଥ ରାଉତ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ସୂଚନାଯୋଗ୍ୟ ଯେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍କୁ ଗୋଆ ସହ ଡ୍ର’ ରଖିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ସୌରାଷ୍ଟ୍ରଠାରୁ ଇନିଂସ ପରାଜୟ ବରଣ କରିସାରିଛି।